ଏହି ବିଶାଳ ବର୍ଗର ଅଣକୁଶଳୀ ନିଯୁକ୍ତିକ୍ଷମ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ କୁଶଳୀ କରାଇ ମୁଖ୍ୟ ସ୍ରୋତର ନିଯୁକ୍ତି ଧାରାରେ ସାମିଲ କରାଇବାର ବୃହତ୍ତର ସୁଯୋଗ ରହିଛି ।
୨୦୧୧ ଜନଗଣନା ଅନୁଯାୟୀ ଦେଶର ସମୁଦାୟ ଜନସଂଖ୍ୟାର ଦୁଇ ଦଶମିକ ଦୁଇ ଏକ ପ୍ରତିଶତ ଜନସଂଖ୍ୟା ଭିନ୍ନକ୍ଷମ ବର୍ଗ ର ଅଟନ୍ତି । ଏହି ସଂଖ୍ୟାର ୭୦ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରନ୍ତି । ଏମାନଙ୍କ ମଧ୍ୟରୁ ୧୫-୫୯ ବର୍ଷ ବୟସ ବର୍ଗ ମଧ୍ୟରେ ରହିଥିବା ୧୩.୦୪ ମିଲିୟନ ଭିନ୍ନକ୍ଷମ ଜନସଂଖ୍ୟା ନିଯୁକ୍ତିକ୍ଷମ ରହିଥିବା ବେଳେ ବିଡ଼ମ୍ୱନାର ଚିତ୍ର ହେଉଛି ସେଥିମଧ୍ୟରୁ ୯.୯ ମିଲିୟନ କୌଣସି ସଂଘଟିତ କର୍ମ କ୍ଷେତ୍ରରେ ନିଯୁକ୍ତ ହେଇନାହାନ୍ତି ଅଥବା ନାମମାତ୍ର କର୍ମଜୀବୀ ଅବା କୌଣସି କ୍ଷୁଦ୍ର କୃଷି ବା ଘରୋଇ ଉଦ୍ୟୋଗରେ କାର୍ଯ୍ୟରତ । ସୁତରାଂ ଏହି ବିଶାଳ ବର୍ଗର ଅଣକୁଶଳୀ ନିଯୁକ୍ତିକ୍ଷମ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ କୁଶଳୀ କରାଇ ମୁଖ୍ୟ ସ୍ରୋତର ନିଯୁକ୍ତି ଧାରାରେ ସାମିଲ କରାଇବାର ବୃହତ୍ତର ସୁଯୋଗ ରହିଛି ।
ଏଥି ପାଇଁ ରହିଥିବା ଆହ୍ୱାନ :

ଶିକ୍ଷା କ୍ଷେତ୍ରରେ ଆହ୍ୱାନ –
ଏହି ଭିନ୍ନକ୍ଷମ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରୁଥିବାରୁ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ବା special educational institute ର ଅଣଉପଲବ୍ଧତା ଏକ ବଡ଼ ଆହ୍ୱାନ ସୃଷ୍ଟି କରେ । ଏକ ପରିସଂଖ୍ୟାନରୁ ଜଣାଯାଏ ଯେ ସହରାଞ୍ଚଳରେ ବାସ କରୁଥିବା ଭିନ୍ନକ୍ଷମମାନଙ୍କ ମଧ୍ୟରୁ ୬୭ ପ୍ରତିଶତ ଶିକ୍ଷିତ ରହିଥିବା ବେଳେ ଗ୍ରାମାଞ୍ଚଳରେ ସେମାନଙ୍କ ପ୍ରତିଶତ ୪୯ ଅଟେ । ସହରାଞ୍ଚଳରେ ଏହି ସଂଖ୍ୟା ମଧ୍ୟରୁ ୨୦ ପ୍ରତିଶତ ମ୍ୟାଟ୍ରିକ ବା +୨ ସ୍ତରୀୟ ଶିକ୍ଷାପ୍ରାପ୍ତ ଏବଂ ୧୦ ପ୍ରତିଶତ ସ୍ନାତକ ବା ତତୁର୍ଦ୍ଧ୍ ବର୍ଗର । ଯେତେବେଳେ କି ଗ୍ରାମଞ୍ଚଳରେ ଏହି ଭିନ୍ନକ୍ଷମ ବର୍ଗଙ୍କ ଶିକ୍ଷାହାର ଯଥାକ୍ରମେ ୧୦ ପ୍ରତିଶତ ଏବଂ ୨ ପ୍ରତିଶତ ଅଟେ । ସେହିପରି ୫ରୁ ୧୯ବର୍ଷ ବୟସ ବର୍ଗର ଭିନ୍ନକ୍ଷମ ଶିଶୁମାନଙ୍କ ମଧ୍ୟରୁ ୪୯ ପ୍ରତିଶତ ବିଦ୍ୟାଳୟ ଶିକ୍ଷା ପ୍ରାପ୍ତିରୁ ବଞ୍ଚିତ । ଏହି ପରିସଂଖ୍ୟାନ କେତେକ ନିର୍ଦ୍ଧିଷ୍ଟ ଭିନ୍ନକ୍ଷମତା ଯେପରି ଜଟିଳ, ବହୁବିଧ ଓ ବୌଦ୍ଧିକ ଭିନ୍ନକ୍ଷମତା କ୍ଷେତ୍ରରେ ଅଧିକ ପରିଲକ୍ଷିତ ହୋଇଥାଏ । ଶିକ୍ଷାଦାନ କ୍ଷେତ୍ରରେ ଏପରିକି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ମଧ୍ୟ କମ୍ ସଂଖ୍ୟକ ତାଲିମପ୍ରାପ୍ତ ଶିକ୍ଷକ, ବହିର ତଥା ମୁଖ୍ୟସ୍ରୋତର ପରିବେଶରୁ ଭିନ୍ନକ୍ଷମ ଛାତ୍ରମାନ ବଞ୍ଚିତ ରହିଥାନ୍ତି । ପୁନଶ୍ଚ ଏହିସବୁ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରୁ ତାଲିମପ୍ରାପ୍ତ ଛାତ୍ରଛାତ୍ରୀମାନେ ପରିବାର ଏବଂ ମୁଖ୍ୟସ୍ରୋତର ସମାଜଠାରୁ ବିଚ୍ଛିନ୍ନ ରହୁଥିବାରୁ ସେମାନଙ୍କ ମଧ୍ୟରେ କମ୍ ଆତ୍ମବିଶ୍ୱାସ ପରିଲକ୍ଷିତ ହୋଇଥାଏ ।

ନିଯୁକ୍ତି ଓ ଦକ୍ଷତା ବିକାଶଗତ ଦୂରତା –
ଭିନ୍ନକ୍ଷମ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ପରିଲକ୍ଷିତ ହେଉଥିବା ଦକ୍ଷତା ବିକାଶଗତ ଦୂରତାର ସଂଖ୍ୟାଧିକ କାରଣ ରହିଛି । ପ୍ରଥମତଃ ପାରମ୍ପରିକ ଶିକ୍ଷାପଦ୍ଧତିରେ ଦକ୍ଷତା କୌଶଳ ବିକାଶର ଅଭାବ । ସେହିପରି ଗଠନାତ୍ମକ ବୟସରେ ସାମାଜିକ ଓ ନିଯୁକ୍ତିଗତ ଦକ୍ଷତା ବିକାଶର ଅନୁପସ୍ଥିତତା, କର୍ମକ୍ଷେତ୍ରରେ ପ୍ରାୟୋଗିକ କାର୍ଯ୍ୟନିର୍ବାହନ ପ୍ରଶିକ୍ଷଣର ଅଭାବ ଏବଂ ଏହାସହିତ ଭିନ୍ନକ୍ଷମତା ସହ ଯୋଡ଼ିହୋଇ ରହିଥିବା ସାମାଜିକ କଳଙ୍କ ବା ନକରାତ୍ମକ ମନୋଭାବକୁ ମଧ୍ୟ ଏଥିପାଇଁ ଦାୟୀ କୁହାଯାଇପାରିବ ।
ସାଧାରଣତଃ ଉପରେ ବର୍ଣ୍ଣିତ କାରଣସବୁ ହେତୁ ନିଯୁକ୍ତିଦାତାମାନଙ୍କ ମଧ୍ୟରେ ଭିନ୍ନକ୍ଷମ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ସାମର୍ଥ୍ୟକୁ ନେଇ ଆଶଙ୍କାଗ୍ରସ୍ତ ହୋଇଥାନ୍ତି; ଯାହାର ପରିଣାମ ସ୍ୱରୂପ ନିଯୁକ୍ତିକ୍ଷେତ୍ରରେ ଭିନ୍ନକ୍ଷମ କର୍ମଜୀବୀଙ୍କ ସଂଖ୍ୟା ଅପେକ୍ଷାକୃତ ଭାବେ ନଗଣ୍ୟ ଅଟେ । ମାତ୍ର ଦେଖାଯାଉଛି ଯେତେବେଳେ ଏହି ବର୍ଗର ବ୍ୟକ୍ତିବିଶେଷମାନଙ୍କୁ ଦକ୍ଷତାବିକାଶ କୌଶଳ ଦ୍ୱାରା ତାଲିମପ୍ରାପ୍ତ କରାଯାଉଛି, ସେମାନେ ସମଭାବେ ଅନ୍ୟ ସାଧାରଣ ବର୍ଗଙ୍କ ପରି ସେମାନଙ୍କ ଯୋଗ୍ୟତା ଓ ଉତ୍ପାଦ କ୍ଷମତାକୁ ପ୍ରମାଣିତ କରୁଛନ୍ତି । ଏହା ଅତୀବ ଉତ୍ସାହଜନକ ଓ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଦର୍ଶାଇଥାଏ ।
ସ୍ଥାନାନ୍ତରଜନିତ ଆହ୍ୱାନ –
ଏହି ସ୍ଥାନାନ୍ତରଜନିତ ଆହ୍ୱାନ ଭିନ୍ନକ୍ଷମଙ୍କ ନିଯୁକ୍ତିକ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ବୋଲି କୁହାଯାଇପାରିବ । କାରଣ ପାଖାପାଖି ୭୦ ପ୍ରତିଶତ ଭିନ୍ନକ୍ଷମ ଗ୍ରାମଞ୍ଚଳରେ ବାସ କରୁଥିବାରୁ ସେମାନଙ୍କ ପକ୍ଷେ ନିଯୁକ୍ତି ଅନ୍ୱେଷଣ ନିମନ୍ତେ ନିକଟବର୍ତ୍ତୀ ସହରାଞ୍ଚଳକୁ ଯିବାକୁ ପଡ଼ିଥାଏ । ସ୍ୱପରିବାର ନିକଟରୁ ସହଯୋଗର ଅଭାବ, ଦୁର୍ବଳ ସ୍ୱାସ୍ଥ୍ୟାବସ୍ଥା, ସହରୀ ପରିବେଶ ସହ ଖପାଖୁଆଇ ନ ପାରିବା ପ୍ରଭୃତି ଏ ଦିଗରେ ପ୍ରମୁଖ ପ୍ରତିବନ୍ଧକ ବୋଲି କୁହାଯାଇପାରିବ ।

କୋଠବାଡ଼ି ଓ ଯାତାୟାତ ଜନିତ ଅଗମ୍ୟତା –
ଏକ ଅବାଧ ଓ ସୁଗମ୍ୟ ସମାଜ ଯେଉଁଠାରେ କୌଣସି ବସ୍ତୁଗତ ପ୍ରତିବନ୍ଧକ ନ ଥିବ ତାହା ହେଉଛି ଭିନ୍ନକ୍ଷମ ବ୍ୟକ୍ତିବିଶେଷମାନଙ୍କ ନିମନ୍ତେ ପ୍ରଥମ ଓ ସର୍ବୋତ୍ତମ ଆବଶ୍ୟକତା । ଶିକ୍ଷାଗତ ଅଧିକାରଠାରୁ ନିଯୁକ୍ତି ଓ ସ୍ୱାଧୀନ ଗତିଶୀଳତା ପ୍ରଭୃତିର ସେତେବେଳେ ହିଁ ପ୍ରାସଙ୍ଗିକ ମନେହେବ ଯେ ପର୍ଯ୍ୟନ୍ତ ବିଦ୍ୟାଳୟ, ପରିବହନ ସେବା, କାର୍ଯ୍ୟକ୍ଷେତ୍ର ଏବଂ ଅନ୍ୟାନ୍ୟ ପ୍ରମୁଖ ସର୍ବସାଧାରଣ ପ୍ରତିଷ୍ଠାନଗୁଡ଼ିକ ଯଦି ସୁଗମଯୋଗ୍ୟ ନ ହୋଇଥାଏ । ଏହି ଅଭିଳଷିତ ଲକ୍ଷ୍ୟ ଉଦ୍ଦେଶ୍ୟ ରେ ୩ ଡିସେମ୍ୱର ୨୦୧୫ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ‘ଭାରତ ଅଭିଯାନ’ର ଶୁଭାରମ୍ଭ ହୋଇଥିଲା । ଯାହାର ମୂଳ ଉଦ୍ଦେଶ୍ୟ ରହିଥିଲା ସର୍ବସାଧାରଣ ପ୍ରତିଷ୍ଠାନ ଓ ପରିବହନ ବ୍ୟବସ୍ଥାକୁ ଭିନ୍ନକ୍ଷମମାନଙ୍କ ନିମନ୍ତେ ଅନୁକୂଳ କରାଇବା । ନୂତନ ଭିନ୍ନକ୍ଷମମାନଙ୍କ ଅଧିକାର ଅଧିନିୟମ, ୨୦୧୬ରେ ଏଥି ନିମନ୍ତେ ବାଧ୍ୟତାମୂଳକ ବ୍ୟବସ୍ଥାର ପ୍ରାବଧାନ ରହିଅଛି ।
ଭିନ୍ନକ୍ଷମ ଜନସଂଖ୍ୟା ଆଧାରିତ ତଥ୍ୟଗତ ଆହ୍ୱାନ –
୨୦୧୧ ମସିହା ଜନଗଣନା ଅନୁଯାୟୀ ଭାରତର ସମୁଦାୟ ଜନସଂଖ୍ୟାର ୨.୨୧ ପ୍ରତିଶତ ଜନସଂଖ୍ୟା ଭିନ୍ନକ୍ଷମ ବର୍ଗର ଅନ୍ତର୍ଭୁକ୍ତ ଥିଲେ । ଯାହା ୭ ପ୍ରକାରର ଭିନ୍ନକ୍ଷମତା ସମ୍ପର୍କିତ ତଥ୍ୟ ଉପରେ ପର୍ଯ୍ୟବେସିତ ଅଟେ । ଅପରପକ୍ଷରେ ବିଶ୍ୱବ୍ୟାଙ୍କ୍ ର ଆକଳନ ଅନୁଯାୟୀ ଭାରତପରି ବିକାଶଶୀଳ ଦେଶମାନଙ୍କରେ ୧୦ରୁ ୧୫ ପ୍ରତିଶତ ଜନସଂଖ୍ୟା ଭିନ୍ନକ୍ଷମ ବର୍ଗର ଅଟନ୍ତି । ଅଧିକନ୍ତୁ ୨୦୧୬ ମସିହାରେ ପାରିତ ହୋଇଥିବା ନୂତନ ଭିନ୍ନକ୍ଷମ ଅଧିକାର ଆଇନ ଅନୁଯାୟୀ ଭିନ୍ନକ୍ଷମତାର ପ୍ରକାର ୭ ରୁ ୨୧କୁ ବୃଦ୍ଧି ପାଇଛି । ତେଣୁ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ନୀତି ନିର୍ଦ୍ଧାରଣ ଓ ଯୋଜନା ପ୍ରଣୟନର ଉତ୍ତମ ପ୍ରୟୋଗ ନିମନ୍ତେ ସର୍ବାଧୁନିକ ତଥ୍ୟର ଆବଶ୍ୟକତା ରହିଛି ।
ସୁଯୋଗ :
ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ ୨୦୧୬ –
ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ଦିଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଏହି ନୂତନ ଭିନ୍ନକ୍ଷମମାନଙ୍କ ଅଧିକାର ଅଧିନିୟମ-୨୦୧୬ । ଏହି ଆଇନରେ ଖୁବ ବ୍ୟାପକ ଏବଂ ପ୍ରଭାବଶାଳୀ ପ୍ରାଭଦାନମାନ ରହିଅଛି । ଏଗୁଡିକ ମଧ୍ୟରୁ ଯଥା-
(କ) ସମସ୍ତ ମୁଖ୍ୟସ୍ରୋତ ପାରମ୍ପରିକ ଏବଂ ଅଣପାରମ୍ପରିକ ଧନ୍ଦାମୂଳକ ତଥା ଦକ୍ଷତା ବିକାଶଗତ ତାଲିମ୍ ।
(ଖ) ସୁନିର୍ଦ୍ଦିଷ୍ଟ ପ୍ରଶିକ୍ଷଣ ନିମନ୍ତେ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ମାନଙ୍କୁ ପର୍ଯ୍ୟାପ୍ତ ସହଯୋଗ ଓ ସୁଯୋଗ ଉପଲବ୍ଧ କରାଇବା ।
(ଗ) ବିକାଶଗତ, ବୌଦ୍ଧିକ, ବହୁବିଧ ଏବଂ ଅଟିଜିମ୍ ବର୍ଗର ଭିନ୍ନକ୍ଷମମାନଙ୍କୁ ବଜାରକୈନ୍ଦ୍ରିକ ସକ୍ରିୟ ସଂଯୋଗତା ସହ ସ୍ୱତନ୍ତ୍ର ଦକ୍ଷତା ବିକାଶ ପ୍ରଶିକ୍ଷଣ ବ୍ୟବସ୍ଥା ।
(ଘ) ସ୍ୱଳ୍ପସୁଧରେ ଋଣ ପ୍ରଦାନର ପ୍ରାବଧାନ ।
(ଙ) ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ନିମନ୍ତେ ବଜାର ସହ ସଂଯୋଗର ବ୍ୟବସ୍ଥା ।
(ଚ) ଦକ୍ଷତା ବିକାଶ ପ୍ରଶିକ୍ଷଣ ଏବଂ ଆତ୍ମନିଯୁକ୍ତି କ୍ଷେତ୍ରରେ ପ୍ରଗତି ସମ୍ବନ୍ଧିତ ଅବ୍ୟବସ୍ଥିତ ତଥ୍ୟ ସଂଗ୍ରହ ।
(ଛ) ନିଯୁକ୍ତିଦାତା, ପ୍ରଶାସକ ଏବଂ ସହକର୍ମୀମାନଙ୍କୁ ଭିନ୍ନକ୍ଷମ ଅବସ୍ଥା ସମ୍ପର୍କିତ ତଥା ସେମାନଙ୍କ ଅଧିକାର ଜନିତ ସଚେତନତା ସୃଷ୍ଟି କରାଇବା ।
(ଜ) ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ସମ୍ପର୍କିତ ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଇବା ।
ଏହି ଅଧିନିୟମ ମଧ୍ୟ ମୁଖ୍ୟ ଆୟୁକ୍ତଙ୍କ ସହ ପରାମର୍ଶ କରି କେନ୍ଦ୍ର ସରକାର ଭିନ୍ନକ୍ଷମ ବ୍ୟକ୍ତିବିଶେଷମାନଙ୍କ ବାହ୍ୟ ପରିବେଶ, ଗମନାଗମନ, ସୂଚନା ଓ ଯୋଗାଯୋଗ, ଏପରିକି ସଠିକ୍ ଯାନ୍ତ୍ରିକ ଓ ପ୍ରଯୁକ୍ତିଗତ ତଥା ଅନ୍ୟାନ୍ୟ ସୁଯୋଗ ଓ ସେବା ନିମନ୍ତେ ଉଭୟ ସହର ଏବଂ ଗ୍ରାମାଞ୍ଚଳରେ ସୁଗମ୍ୟତାର ନିର୍ଣ୍ଣାୟକ ପରିମାପକ ସ୍ଥିରୀକୃତ କରିବେ ।

ଭାରତରେ ଭିନ୍ନକ୍ଷମ ଜନସଂଖ୍ୟାର ଅର୍ଦ୍ଧେକ ନିଯୁକ୍ତିଯୋଗ୍ୟ:
ଭାରତରେ ପ୍ରାୟ ୩ କୋଟି ଭିନ୍ନକ୍ଷମ (ଭିନ୍ନକ୍ଷମ) ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୧.୩ କୋଟି ନିଯୁକ୍ତିଯୋଗ୍ୟ କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୩୪ ଲକ୍ଷ ନିଯୁକ୍ତି ପାଇଛନ୍ତି । ଏକ ସର୍ଭେରୁ ଜଣାଯାଏ ଯେ, ଭାରତରେ ଭିନ୍ନକ୍ଷମ ଜନସଂଖ୍ୟାର ଅଧା ନିଯୁକ୍ତିଯୋଗ୍ୟ ।
ମାକେର୍ଟ ଇଣ୍ଟେଲିଜେନ୍ସ ଫାର୍ମ ଅନ୍ଆର୍ଥ ଇନ୍ସାଇଟ୍ (unearthinsight) ଅନୁଯାୟୀ, ସଠିକ୍ ନୀତି ଏବଂ କୌଶଳ ପରିବର୍ତ୍ତନ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିପାରିବ ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଭାରତରେ ନିଯୁକ୍ତି ପାଇବାର ସମ୍ଭାବନା ରଖନ୍ତି । ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୩ କୋଟି ଭିନ୍ନକ୍ଷମ (ଭିନ୍ନକ୍ଷମ) ଅଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୧.୩ କୋଟି ନିଯୁକ୍ତିଯୋଗ୍ୟ କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୩୪ ଲକ୍ଷ ସଂଗଠିତ କ୍ଷେତ୍ର, ଅସଂଗଠିତ କ୍ଷେତ୍ର, ସରକାରଙ୍କ ନେତୃତ୍ୱାଧୀନ ଯୋଜନାରେ ନିଯୁକ୍ତି ପାଇଛନ୍ତି କିମ୍ବା ଆତ୍ମନିଯୁକ୍ତିପ୍ରାପ୍ତ ।
ରିପୋର୍ଟରେ କୁହାଯାଇଛି ଯେ ଦେଶରେ ୩.୪ ଲକ୍ଷ ଅଣ-ଟେକ୍ ଗ୍ରାଜୁଏଟ୍, ପଲିଟେକ୍ନିକ୍ ଏବଂ ଡିପ୍ଲୋମାଧାରୀଙ୍କ ସମ୍ଭାବ୍ୟ କର୍ମଚାରୀ ବ୍ୟାଣ୍ଡୱିଡ଼ଥ୍ ରହିଛି, ଯେଉଁମାନଙ୍କୁ ସ୍କିଲ୍ଡ଼ କରାଯାଇପାରିଲେ ମୁଣ୍ଡପିଛା ଆୟ ବୃଦ୍ଧି ସହିତ ମୁଖ୍ୟ ସ୍ରୋତର ସେବା କ୍ଷେତ୍ର ଏବଂ ଜ୍ଞାନ ଶିଳ୍ପରେ ନିୟୋଜିତ କରାଯାଇପାରିବ । ଉକ୍ତ ରିପୋର୍ଟ ମଧ୍ୟ ଏହା ଦର୍ଶାଉଛି ଯେ, ପାଖାପାଖି ୧୭,୦୦୦ ପି.ଡବ୍ଲ୍ୟୁ.ଡି. ଇଞ୍ଜିନିୟରିଂ କିମ୍ବା କମ୍ପୁ୍ୟଟର ବିଜ୍ଞାନ ଓ ସଲଗ୍ନ ପାଠ୍ୟକ୍ରମରେ ସ୍ନାତକ ହାସଲ କରିଥିବା ଛାତ୍ରଙ୍କ ମଧ୍ୟରୁ ଆଇଟି ସେବା କ୍ଷେତ୍ରରେ ପାଖାପାଖି ୮,୦୦୦ ପି.ଡବ୍ଲ୍ୟୁ.ଡି.କର୍ମଚାରୀ ନିୟୋଜିତ ଥିବା ବେଳେ ସଫ୍ଟୱେୟର ଉତ୍ପାଦରେ ପାଖାପାଖି ୫,୫୦୦ ଏବଂ ବିକଳ୍ପ ବୈଷୟିକ କ୍ଷେତ୍ରରେ ନିୟୋଜିତ ଅଛନ୍ତି ।
ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ, ଟିସିଏସ୍ ଏବଂ ଆକ୍ସେଞ୍ଚର ଭାରତର ଆଇଟି ସେବାରେ ପି.ଡବ୍ଲ୍ୟୁ.ଡି. ପ୍ରତିଭାର ବୃହତ ନିଯୁକ୍ତିଦାତା ହୋଇଥିବା ବେଳେ ଏସ୍ଏପି ଏବଂ ମାଇକ୍ରୋସଫ୍ଟ ଭାରତରେ ସଫ୍ଟୱେୟାର୍ ଉତ୍ପାଦ ଶିଳ୍ପରେ ଉଚ୍ଚ କୁଶଳୀ ଟେକ୍ ପି.ଡବ୍ଲ୍ୟୁ.ଡି. ପ୍ରତିଭାଙ୍କୁ ନିୟୋଜିତ କରିଛନ୍ତି ।
ସର୍ବାଧିକ ନିଯୁକ୍ତ ହୋଇଥିବା ଉଭୟ ଟେକ୍ନୋଲୋଜି ଓ ରିଟେଲ କ୍ଷେତ୍ର ମଧ୍ୟରୁ କେବଳ ରିଟେଲ୍ କ୍ଷେତ୍ରରେ ୧୩,୦୦୦ ପି.ଡବ୍ଲ୍ୟୁ.ଡି. ପେସାଦାର ଭାବେ ନିୟୋଜିତ ଥିବା ବେଳେ ୮୦୦୦ରୁ ଅଧିକ ପି.ଡବ୍ଲ୍ୟୁ.ଡି. ଟେକ୍ନୋଲୋଜି କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି ।
ସମ୍ପ୍ରତି ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବା କ୍ଷେତ୍ର ପିଡ଼ବ୍ଲୁଡ଼ି ପ୍ରତିଭାଙ୍କ ପାଇଁ ଏକ ଉଦୀୟମାନ ନିଯୁକ୍ତିଦାତା ରୂପେ ପ୍ରତିଭାତ ହୋଇଛନ୍ତି, ଯେଉଁଥିରେ ଏସବିଆଇ ବ୍ୟାକ୍ ଅଫିସ୍ ଏବଂ ଫ୍ରଣ୍ଟ ଅଫିସ୍ ଚାକିରିରେ ପି.ଡବ୍ଲ୍ୟୁ.ଡି. ପ୍ରତିଭାଙ୍କ ସର୍ବବୃହତ ନିଯୁକ୍ତିଦାତା ଅଟେ । ଅନ୍ଆର୍ଥଇନ୍ସାଇଟ୍ ର ପ୍ରତିଷ୍ଠାତା ତଥା ସିଇଓ ଗୌରବ ବାସୁ ଏହାକୁ ପ୍ରତିଭା କେନ୍ଦ୍ରର ସମ୍ପ୍ରସାରଣ ଦିଗରେ ସମକାଳୀନ ବ୍ୟବସାୟିକ ରଣନୀତି କର୍ମକ୍ଷେତ୍ରରେ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣର ଆଦର୍ଶକୁ ସାକାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛି ।
ସେ ଆହୁରି ମଧ୍ୟ ପ୍ରକାଶ କରନ୍ତି, ଆଗକୁ ବହୁତ ଦୂର ଯିବାକୁ ଅଛି, କାରଣ ଭାରତ ଏକ ବିଶାଳ ପି.ଡବ୍ଲ୍ୟୁ.ଡି. ପ୍ରତିଭା କେନ୍ଦ୍ରର ଅଧିକାରୀ ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ସଠିକ ନୀତି ଏବଂ ରଣକୌଶଳର ପରିବର୍ତ୍ତନ ସହିତ, ପିଡ଼ବ୍ଲୁଡ଼ି ଜନସଂଖ୍ୟା ମଧ୍ୟରେ ନିଯୁକ୍ତି ହାର ବୃଦ୍ଧି ଦିଗରେ ପ୍ରକୃତ ସମ୍ଭାବନା ଅଛି ।
ଆନ୍ତର୍ଜାତୀୟ ସ୍ତରରେ କିପରି ସୃଷ୍ଟି ହେଲା ଭିନ୍ନକ୍ଷମ ନିଯୁକ୍ତି ସଚେତନତା?
ପ୍ରଥମେ ଆମେରିକାରେ ଜାତୀୟ ଭିନ୍ନକ୍ଷମ ନିଯୁକ୍ତି ସଚେତନତା ସଂଯୁକ୍ତ ରାଷ୍ଟ୍ର ଦ୍ୱାରା କଂଗ୍ରେସ ୧୯୮୮ ମସିହାରେ ଅକ୍ଟୋବର ମାସରେ ପାଳନ ପାଇଁ ଘୋଷଣା କରାଯାଇଥିଲା । ଯାହାର ଉଦ୍ଦେଶ୍ୟ ରହିଥିଲା ଯୁକ୍ତରାଷ୍ଟ୍ର ଆମେରିକାରେ ଏମାନଙ୍କ ନିଯୁକ୍ତିର ଆବଶ୍ୟକତା ଏବଂ ସମସ୍ତ ପ୍ରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରାଇବା । ଏହି ମାସଟି ୧୯୪୫ ମସିହା ଅକ୍ଟୋବର ପ୍ରଥମ ସପ୍ତାହରେ ପାଳନ କରାଯାଉଥିବା “ଜାତୀୟ ନିଯୁକ୍ତି ଶାରୀରିକ ଭିନ୍ନକ୍ଷମ ସପ୍ତାହ’ର ଏକ ସମ୍ପ୍ରସାରଣ ଅଟେ । ୧୯୬୨ ମସିହାରେ ସମସ୍ତ ପ୍ରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିଯୁକ୍ତି ଆବଶ୍ୟକତା ଏବଂ ଅବଦାନକୁ ସ୍ୱୀକାର କରିବା ପାଇଁ ସେହି ସପ୍ତାହରୁ “ଶାରୀରିକ’ ଶବ୍ଦକୁ ହଟାଇ ଦିଆଯାଇଥିଲା । ଆମେରିକୀୟମାନେ ଜାତୀୟ ଭିନ୍ନକ୍ଷମ ନିଯୁକ୍ତି ସଚେତନତା ମାସ ପାଳନ କରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅବଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ କର୍ମ ସମ୍ପାଦନା ଦେଶର ଅର୍ଥନୀତିକୁ ସୁଦୃଢ଼ ରଖିବାରେ ସାହାଯ୍ୟ ଏବଂ ସମସ୍ତ ନାଗରିକଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥାଏ ।
ପ୍ରାରମ୍ଭ : ୧୯୪୫ ମସିହାରେ ଆମେରିକା ସରକାର ଭିନ୍ନକ୍ଷମ ଓ ରୋଜଗାର ସମ୍ବନ୍ଧୀୟ ସମସ୍ୟା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପ୍ରୟାସ କରିଥିଲେ । ସେହିବର୍ଷ କଂଗ୍ରେସ ପବ୍ଲିକ୍ ଲ’ ୧୭୬ ପ୍ରଣୟନ କରିଥିଲା, ଯାହା ପ୍ରତିବର୍ଷ ଅକ୍ଟୋବର ପ୍ରଥମ ସପ୍ତାହକୁ ଜାତୀୟ ନିଯୁକ୍ତି ଶାରୀରିକ ଭିନ୍ନକ୍ଷମ ସପ୍ତାହ ଭାବେ ଘୋଷଣା କରିଥିଲା । ୧୯୬୨ ମସିହାରେ ସମସ୍ତ ପ୍ରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିଯୁକ୍ତି ଆବଶ୍ୟକତା ଏବଂ ଅବଦାନକୁ ସ୍ୱୀକାର କରିବା ପାଇଁ “ଶାରୀରିକ’ ଶବ୍ଦକୁ ହଟାଇ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ କଂଗ୍ରେସ ଅକ୍ଟୋବର ପ୍ରଥମ ସପ୍ତାହ ବଦଳରେ ସମଗ୍ର ଅକ୍ଟୋବର ମାସକୁ ବିସ୍ତାର କରିଥିଲା ଏବଂ ୧୯୮୮ ମସିହାରେ ଏହାର ନାମ ପରିବର୍ତ୍ତନ କରି ଜାତୀୟ ଭିନ୍ନକ୍ଷମ ନିଯୁକ୍ତି ସଚେତନତା ମାସରେ ପରିଣତ କରିଥିଲା ।
ଇତିହାସ : ଆମେରିକାର ୧୯୭୩ର ଥଇଥାନ ଆଇନ୍ ଅନୁଯାୟୀ ସଂଘୀୟ ପାଣ୍ଠି ପାଉଥିବା କୌଣସି ସରକାରୀ ଅନୁଷ୍ଠାନକୁ ଭିନ୍ନକ୍ଷମ ଆଧାରରେ ଭେଦଭାବ କରିବାକୁ ବାରଣ କରାଯାଇଥିଲା । ଏହାର ମାତ୍ର ଦୁଇ ବର୍ଷ ପରେ ୧୯୭୫ ମସିହାରେ ସମସ୍ତ ଭିନ୍ନକ୍ଷମ ପିଲାଙ୍କ ପାଇଁ ଶିକ୍ଷା ଆଇନ ଗୃହୀତ ହୋଇଥିଲା, ଯେଉଁଥିରେ ଭିନ୍ନକ୍ଷମ ପିଲାଙ୍କ ପାଇଁ ସମାନ ଶିକ୍ଷା ଏବଂ ଶିକ୍ଷାର ସୁବିଧା ପ୍ରଦାନ କରିବା ପାଇଁ ଫେଡେ଼ରାଲ ପାଣ୍ଠି ଗ୍ରହଣ କରୁଥିବା ସରକାରୀ ବିଦ୍ୟାଳୟଗୁଡ଼ିକୁ ବାଧ୍ୟତାମୂଳକ କରାଯାଇଥିଲା । ଏହାର କିଛି ବର୍ଷ ପରେ ୧୯୯୦ ମସିହାରେ ରାଷ୍ଟ୍ରପତି ବୁଶ ଆମେରିକୀୟ ଭିନ୍ନକ୍ଷମ ଆଇନ (ଏଡ଼ିଏ) ସ୍ୱାକ୍ଷର କରି ଶାରୀରିକ କିମ୍ବା ମାନସିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସୁଗମ୍ୟତା ଅଧିକାର ଏବଂ ସେମାନଙ୍କ ପ୍ରତି ଭେଦଭାବକୁ ନିଷେଧ କରିଥିଲେ । ୨୦୦୦ ମସିହାରେ ରାଷ୍ଟ୍ରପତି କ୍ଲିଣ୍ଟନ୍ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧,୦୦,୦୦୦ ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦେବା ପାଇଁ ଫେଡେ଼ରାଲ ସରକାରଙ୍କୁ ଅନୁରୋଧ କରିଥିଲେ । ଶେଷ ବଡ଼ ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ କଂଗ୍ରେସ ଶ୍ରମ ବିଭାଗ ମଧ୍ୟରେ ଭିନ୍ନକ୍ଷମ ନିଯୁକ୍ତି ନୀତି ସୃଷ୍ଟି କରାଯାଇଥିଲା ।
ପଦକ୍ଷେପ : ଯୁକ୍ତରାଷ୍ଟ୍ର ଆମେରିକାର ଶ୍ରମ ବିଭାଗ ଅଧୀନରେ ଭିନ୍ନକ୍ଷମ କର୍ମଚାରୀ ନୀତିର ଏକ କାର୍ଯ୍ୟାଳୟ ରହିଛି । ଏହି କାର୍ଯ୍ୟାଳୟ ଭିନ୍ନକ୍ଷମ ନିଯୁକ୍ତି ଇନିସିଏଟିଭ୍ (ଡିଇଆଇ) ସୃଷ୍ଟି କରେ ଯାହାର ଉଦ୍ଧେଶ୍ୟ ବେରୋଜଗାର, ଅଣନିୟୋଜିତ ଏବଂ / କିମ୍ବା ସାମାଜିକ ନିରାପତ୍ତା ଅଧିନେ ସୁବିଧାପ୍ରାପ୍ତ ଭିନ୍ନକ୍ଷମ ଯୁବକ ଏବଂ ଭିନ୍ନକ୍ଷମ ବୟସ୍କଙ୍କ ପାଇଁ ଶିକ୍ଷା, ପ୍ରଶିକ୍ଷଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିସହ ଫଳାଫଳରେ ଉନ୍ନତି ଆଣିବା । ଡିଇଆଇ ମାଧ୍ୟମରେ ୭୦ ଜଣ ଭିନ୍ନକ୍ଷମ ସମ୍ବଳ ସଂଯୋଜକ ଅଛନ୍ତି । ଷ୍ଟେଟ୍ ପ୍ରୋଜେକ୍ଟ ଲିଡ୍ସ୍ ସହିତ, ସେମାନେ ଭିନ୍ନକ୍ଷମ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି ଆଶାରେ ଆମେରିକୀୟ ଚାକିରି କେନ୍ଦ୍ରଗୁଡ଼ିକର କ୍ଷମତାକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରନ୍ତି ।
ଭାରତରେ ଭିନ୍ନକ୍ଷମଙ୍କ ନିଯୁକ୍ତି ଓ ଅନ୍ତର୍ଭୁକ୍ତୀକରଣର ଦୃଶ୍ୟପଟ୍ଟ
ଯଦିଓ ଭାରତରେ ଅନ୍ତର୍ଭୁକ୍ତୀକରଣ ଏବଂ ସମାନ ସୁଯୋଗ ପ୍ରଦାନ ସମ୍ପ୍ରତି ନିଯୁକ୍ତି ପରିକ୍ଷେତ୍ରରେ ପ୍ରାଥମିକତା ପ୍ରଦାନର ଏକ ଉଲ୍ଲେଖନୀୟ ଧାରା ରୂପେ ଦେଖାଯାଉଛି, କିନ୍ତୁ ଏହି କ୍ଷେତ୍ରରେ ତଥାପି ଅନେକ ଆହ୍ୱାନ ଓ ଅଭାବ ପରିଲକ୍ଷିତ ହୋଇଥାଏ । ଭାରତ ପରି ଏକ ରକ୍ଷଣଶୀଳ ମାନସିକତା ରଖୁଥିବା ଦେଶରେ ପୂର୍ବରୁ ନିଯୁକ୍ତି କ୍ଷେତ୍ରରେ ଭିନ୍ନକ୍ଷମ ବର୍ଗଙ୍କ ସମ୍ପୃକ୍ତି ଏକ ନୈରାଶ୍ୟଜନକ ସ୍ଥିତି ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ମାତ୍ର ସୌଭାଗ୍ୟର କଥା ଧୀରେ ଧୀରେ ଭିନ୍ନକ୍ଷମ ବର୍ଗଙ୍କ ପ୍ରତି ଦୃଷ୍ଟିକୋଣ ସଶକ୍ତ ଆଇନ୍ ପ୍ରଣୟନ ଓ ବ୍ୟାପକ ସଚେତନତା ହେତୁ ପରିବର୍ତ୍ତିତ ହେବାରେ ଲାଗିଛି । ଏହି ଦେଶରେ ବାସ କରୁଥିବା ବିବିଧ ବର୍ଗର ବିପୁଳ ସଂଖ୍ୟାରେ ଭିନ୍ନକ୍ଷମ ଜନସଂଖ୍ୟା ମଧ୍ୟରୁ ଯଦିଓ ଭିନ୍ନ ପ୍ରକାର ନିଯୁକ୍ତି କ୍ଷେତ୍ରରେ ପ୍ରବେଶ ପାଇଁ ଯୋଗ୍ୟ ଭିନ୍ନକ୍ଷମ ପ୍ରାର୍ଥୀ ରହିଛନ୍ତି ମାତ୍ର ବିଭିନ୍ନ ପ୍ରକାରର ପ୍ରତିବନ୍ଧକତା ହେତୁ ଏହା ସାକାର ହୋଇପାରୁନାହିଁ । ସେଥି ମଧ୍ୟରୁ ଥିବା ପ୍ରମୁଖ ପ୍ରତିବନ୍ଧକ ଗୁଡ଼ିକ ହେଲା –
୧. ସମାଜରେ ଭିନ୍ନକ୍ଷମମାନଙ୍କ ପ୍ରତି ରହିଥିବା ସାମାଜିକ ଅପବାଦ ଓ କଳଙ୍କ ହେତୁ ଯୋଗ୍ୟତା ଥାଇ ସୁଦ୍ଧା ନିଯୁକ୍ତିକ୍ଷମ ଭିନ୍ନକ୍ଷମ ପ୍ରାର୍ଥୀ ଭେଦଭାବ ଏବଂ ଅଣଅନୁକୂଳିତ କର୍ମକ୍ଷେତ୍ର ପରିବେଶର ସମ୍ମୁଖୀନ ହୋଇଥାନ୍ତି ।
୨. ଭାରତର ପ୍ରାୟ ଅଧିକାଂଶ କାର୍ଯ୍ୟସ୍ଥଳୀଗୁଡ଼ିକ ଅଦ୍ୟାବଧି ଭିନ୍ନକ୍ଷମ କର୍ମଚାରୀଙ୍କ ସୁଗମ୍ୟତା ଓ କାର୍ଯ୍ୟକୁଶଳତା ଉପଯୋଗୀ ହୋଇପାରିନାହିଁ ।
୩. ନିଯୁକ୍ତି ସମ୍ଭାବନା ରଖୁଥିବା ଭିନ୍ନକ୍ଷମମାନେ କୌଶଳ ବିକାଶ ପ୍ରଶିକ୍ଷଣ ଓ ତାଲିମରୁ ବଞ୍ଚିତ ରହୁଥିବାରୁ ନିଯୁକ୍ତି କ୍ଷେତ୍ରରେ ସେମାନଙ୍କ ପ୍ରବେଶ ଖୁବ୍ ସୀମିତ ରହିଯାଇଛି ।
୪. ଯଦିଓ ଭିନ୍ନକ୍ଷମମାନଙ୍କ ନିଯୁକ୍ତି କ୍ଷେତ୍ରରେ ସୁନିଶ୍ଚିତ ଆଇନ୍ର ପ୍ରାବଧାନ ରହିଛି; ମାତ୍ର ଦେଖାଯାଉଛି ଏହି ଦିଗରେ ସଚେତନତାର ଅଭାବ ଓ ଆଇନ୍ର ପ୍ରଣୟନରେ ଦୁର୍ବଳତା ପରିଲକ୍ଷିତ ହେଉଛି ।
୫. ଦେଖାଯାଏ ବୃହତ୍ତର ସମାଜ ଏବଂ ନିଯୁକ୍ତିଦାତାମାନଙ୍କ ମଧ୍ୟରେ ଭିନ୍ନକ୍ଷମ ଯୁବବର୍ଗଙ୍କ ଦକ୍ଷତା ଓ ସମ୍ଭାବନା ପ୍ରତି ଏକ ପ୍ରତ୍ୟୟହୀନ ମନୋଭାବ ପୋଷଣ କରିଥାନ୍ତି । ଏହି ମନୋଭାବ ଭିନ୍ନକ୍ଷମଙ୍କ ନିଯୁକ୍ତି କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥାଏ ।
ଏହି ପୃଷ୍ଠପଟ୍ଟରେ ବିଚାରକଲେ ଯଦିଓ ଭିନ୍ନକ୍ଷମବର୍ଗଙ୍କ ନିଯୁକ୍ତିଗତ ଅନ୍ତର୍ଭୁକ୍ତୀକରଣରେ ରହିଥିବା ଆହ୍ୱାନ ଗୁରୁତର ମନେହୁଏ, ତଥାପି ଏହା ମଧ୍ୟରେ ଅନେକ ସକରାତ୍ମକ ଅଗ୍ରଗତି ଦେଖାଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ ।
୧. କେତେକ ଭାରତୀୟ ପ୍ରଗତିଶୀଳ ଦୃଷ୍ଟିସମ୍ପନ୍ନ କମ୍ପାନୀ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତି ଚୟନ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି । ଯାହାଫଳରେ ନିର୍ଦ୍ଧିଷ୍ଟ ବା ବିବିଧ କାର୍ଯ୍ୟଧାରା ନିମନ୍ତେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି ।
୨. ଏହି ଦିଗରେ ସରକାରୀ ପ୍ରୋତ୍ସାହନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଆକ୍ସେସବୁଲ ଇଣ୍ଡିଆର ଅଭିଯାନ ଦ୍ୱାରା ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ସୁଗମ୍ୟ ହୋଇପାରିଛି । ଫଳରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ନିଯୁକ୍ତି ଓ ସମ୍ପୃକ୍ତି ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି ।
୩. ଜାତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଭିନ୍ନକ୍ଷମ ଯୁବବର୍ଗଙ୍କ ମଧ୍ୟରେ ନିଯୁକ୍ତିଗତ ଯୋଗ୍ୟତା ବୃଦ୍ଧି ପାଉଛି ।
୪. ଉଭୟ ତୃଣମୂଳ ଶିବିର ଓ ଜିଲ୍ଲାସ୍ତରୀୟ ବୋର୍ଡ ମାଧ୍ୟମରେ ଭିନ୍ନକ୍ଷମ ବର୍ଗଙ୍କୁ ଚିହ୍ନଟ ଓ ୟୁଡିଆଇଡ଼ି ପରି ସ୍ୱତନ୍ତ୍ର ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ଦ୍ୱାର ସରକାରୀ ସ୍ତରରେ ଥିବା ସଂରକ୍ଷିତ ପଦ ପଦବୀ ପାଇଁ ଭିନ୍ନକ୍ଷମ ବର୍ଗଙ୍କ ପହଞ୍ଚ ବୃଦ୍ଧି ପାଇଛି ।
୫. ଅଣସରକାରୀ ଅନୁଷ୍ଠାନଗୁଡ଼ିକର ସକ୍ରିୟତା ଓ ଭୂମିକାକୁ ମଧ୍ୟ ସ୍ୱୀକାର କରିବାକୁ ହେବ । ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ପ୍ରଦାନ ଦ୍ୱାରା ମଧ୍ୟ ଭିନ୍ନକ୍ଷମବର୍ଗଙ୍କ ନିଯୁକ୍ତିଗତ ଅନ୍ତର୍ଭୁକ୍ତି ତ୍ୱରାନ୍ୱିତ ହୋଇପାରିଛି ।
ଏହା ବାଦ୍, ଏକବିଂଶ ଶତାବ୍ଦୀର ଦ୍ରୁତ ପ୍ରଗତିଶୀଳ ବିଶ୍ୱରେ ଭିନ୍ନକ୍ଷମ ବର୍ଗଙ୍କୁ ମୁଖ୍ୟସ୍ରୋତର ସମାଜ ସହ ସାମିଲ କରିବାକୁ ହେଲେ, ବିଶେଷକରି ସେମାନଙ୍କ ନିଯୁକ୍ତିଗତ ଅନ୍ତର୍ଭୁକ୍ତିର ବିକାଶ ନିମନ୍ତେ ନିମ୍ନ ପଦକ୍ଷେପ ନେବା ଆବଶକ ।
୧ . ଶିକ୍ଷା ଓ ପ୍ରଶିକ୍ଷଣ – ଅନ୍ତର୍ଭୁକ୍ତି ଶିକ୍ଷା ଓ କୌଶଳ ବିକାଶ କାର୍ଯ୍ୟକ୍ରମ ଦିଗରେ ଅଧିକ ନିବେଶ କରିବାକୁ ହେବ, ଯାହାଦ୍ୱାରା ନିର୍ଦ୍ଧିଷ୍ଟ ଆବଶ୍ୟକତା ଅନୁଯାୟୀ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତିକ୍ଷମ କରିହେବ ।
୨ . ସଚେତନତା କାର୍ଯ୍ୟକ୍ରମର ପ୍ରୋତ୍ସାହନା – ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଉଭୟ ତୃଣମୂଳ ଓ ଦାପ୍ତରିକ କ୍ଷେତ୍ରରେ କରାଯାଇ ଏହି ବର୍ଗଙ୍କ ସମ୍ପୃକ୍ତି ଓ ଅଧିକାର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି ।
୩. ନିଯୁକ୍ତିଦାତାଙ୍କୁ ପ୍ରୋତ୍ସାହନ – ଯେଉଁ କମ୍ପାନୀ ଏବଂ ଘରୋଇ ନିଯୁକ୍ତିଦାତାମାନେ ସେମାନଙ୍କ କର୍ମଚାରୀ ଚୟନ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତି ଚୟନ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି, ସେହିପରି କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ ଓ ପୁରସ୍କୃତ କରିବା ଆବଶ୍ୟକ ।
୪. ସୁଗମ୍ୟ ଭିତ୍ତିଭୂମି – ପ୍ରତ୍ୟେକ ସାଧାରଣ ଅନୁଷ୍ଠାନ, ଗମନାଗମନ ଏବଂ କାର୍ଯ୍ୟକ୍ଷେତ୍ରଗୁଡ଼ିକୁ ଭିନ୍ନକ୍ଷମଙ୍କ ନିମନ୍ତେ ଅନୁକୂଳିତ କରାଯିବା ଆବଶ୍ୟକ ।
୫. ଉଦ୍ଦିଷ୍ଟ ଆଇନ୍ ର ପ୍ରବର୍ତ୍ତନ – ପ୍ରଚଳିତ ଭିନ୍ନକ୍ଷମ ଅଧିକାର ଅଧିନିୟମ ଅନ୍ତର୍ଗତ ସମସ୍ତ ପ୍ରାବଧାନର ସୁଦୃଢ଼ ପ୍ରବର୍ତ୍ତନକୁ ସୁନିଶ୍ଚିତ କରାଗଲେ ଏହା ଭିନ୍ନକ୍ଷମବର୍ଗ ନିମନ୍ତେ ରହିଥିବା ସମାଜ ସୁଯୋଗକୁ ମଧ୍ୟ ସୁନିଶ୍ଚିତ କରାଇବ ।
ପରିଶେଷରେ କୁହାଯାଇପାରେ ଯେ ଗୋଟିଏ ସମାଜ କେତେ ଓ କେଉଁପରି ଅଗ୍ରଗତି ଲାଭ କରିଛି, ତାହା ସେହି ସମାଜରେ ବାସ କରୁଥିବା ଅବହେଳିତ ବର୍ଗଙ୍କ ବିକାଶଗତ ମାପକାଠିରୁ ଜଣାପଡ଼ିଥାଏ । ଭାରତରେ ଭିନ୍ନକ୍ଷମ ନିଯୁକ୍ତି ଆଶାୟୀ ଯୁବବର୍ଗଙ୍କ ନିମନ୍ତେ ନିଯୁକ୍ତିଗତ ଅନ୍ତର୍ଭୁକ୍ତ ଯଦିଓ ଏକ ଜଟିଳ ଓ ଅସମାପିତ ପ୍ରକ୍ରିୟା ରୂପେ ବିବେଚନା କରାଯାଏ, ତେବେ ଆଇନଗତ ସଚେତନତା ଓ ସରକାରୀ ତଥା ଘରୋଇ ପ୍ରୋତ୍ସାହନାର ସକରାତ୍ମକ ପ୍ରାରମ୍ଭିକ ଧାରା ଏକ ଅନ୍ତର୍ଭୁକ୍ତ ସମାଜ ନିର୍ମାଣ ଦିଗରେ ତଥା ଏକ ଅନ୍ତର୍ଭୁକ୍ତି ନିଯୁକ୍ତି ବଜାର ସୃଷ୍ଟି ଦିଗରେ ଏକ ନୂତନ ଆଶା ସଞ୍ଚାର କରୁଛି ।
ଭିନ୍ନକ୍ଷମବର୍ଗଙ୍କ ନିଯୁକ୍ତି ଓ ଘରୋଇ କ୍ଷେତ୍ରର ଭୂମିକା –
ଘରୋଇ କ୍ଷେତ୍ରରେ ନିଯୁକ୍ତ କର୍ମଚାରୀଙ୍କ ମଧ୍ୟରେ ରହିଥିବା ଭିନ୍ନକ୍ଷମବର୍ଗର ବ୍ୟବଧାନ ଦୂର କରିବାରେ ଘରୋଇ ଉଦ୍ୟୋଗର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ନିଜ ନିଜ କ୍ଷେତ୍ରରେ ଅନ୍ତର୍ଭୁକ୍ତୀକରଣର ପ୍ରବର୍ତ୍ତନ, ସୁଗମ୍ୟ ଭିତ୍ତିଭୂମି ନିର୍ମାଣ ଓ ବିଶେଷକରି ଏହି ବର୍ଗର ସହଭାଗୀତା ବୃଦ୍ଧିପାଇଁ ଏକ ଯଥାର୍ଥ ଓ ଉତ୍ପାଦ କ୍ଷମ କର୍ମକ୍ଷେତ୍ର ସୃଷ୍ଟିକରିବା ଆବଶ୍ୟକ । ଭାରତର ନୂତନ ଭିନ୍ନକ୍ଷମ ଅଧିକାର ଅଧିନିୟମ, ୨୦୧୬ ସମସ୍ତ ପ୍ରତିଷ୍ଠାନ, ଏପରିକି ଘରୋଇ କ୍ଷେତ୍ରରେ ଭିନ୍ନକ୍ଷମତା ଆଧାରରେ କୌଣସି ଭେଦଭାବକୁ ନିଷେଧ କରିଛି । ମାତ୍ର ଏହି ଆଇନ୍ ପ୍ରଣୟନର ୭ ବର୍ଷ ପରେ ମଧ୍ୟ ଦେଖାଯାଏ ଯେ, ଶତକଡ଼ା ୫୦ ଭାଗ କର୍ପୋରେଟ ଭିନ୍ନକ୍ଷମ କର୍ମଚାରୀଙ୍କ ନିମନ୍ତେ ସ୍ୱତନ୍ତ୍ର ନୀତି ପ୍ରଣୟନ ସୁନିଶ୍ଚିତ କରିଛନ୍ତି । ଭିତ୍ତିଭୂମିଗତ ସଂରଚନାର ଅନୁପସ୍ଥିତି, ପ୍ରଶିକ୍ଷଣର ଅଭାବ ଏବଂ ବିଶେଷକରି ଭିନ୍ନକ୍ଷମବର୍ଗଙ୍କ କାର୍ଯ୍ୟଦକ୍ଷତା ନେଇ ରହିଥିବା ନକରାତ୍ମକ ଅବଧାରଣା ଏହାର ପ୍ରମୁଖ ପ୍ରତିବନ୍ଧକ ରୂପେ ଉଭା ହୋଇଛି । ଏହା ସତ୍ତ୍ୱେ କେତେକ ରାଜ୍ୟ ଘରୋଇ କ୍ଷେତ୍ରରେ ଭିନ୍ନକ୍ଷମ ବର୍ଗଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି ।
ଭିନ୍ନକ୍ଷମ ଯୁବବର୍ଗଙ୍କ ନିଯୁକ୍ତିର ନୂଆ ସମ୍ଭାବନା : ଷ୍ଟାର୍ଟଅପ୍
୧୦ ବର୍ଷ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟ ପି.ଡବ୍ଲ୍ୟୁ.ଡି. ପାଇଁ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।
ଆସନ୍ତା ୧୦ ବର୍ଷ ମଧ୍ୟରେ ୧୦ ଲକ୍ଷ କିମ୍ବା ତା’ଠାରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଝାଡ଼ଖଣ୍ଡ ରାଜ୍ୟସ୍ଥିତ ଷ୍ଟାର୍ଟଅପ୍ ଆଟିପିକାଲ୍ ପ୍ଲାଟଫର୍ମ ପ୍ରାଇଭେଟ୍ ଲିମିଟେଡ଼ । ଏହି ବ୍ୟବସାୟ ଏଣ୍ଡ-ଟୁ-ଏଣ୍ଡ ଟେକ୍ନୋଲୋଜି ପ୍ଲାଟଫର୍ମ ପ୍ରଦାନ କରିଥାଏ ଯାହା କର୍ପୋରେଟମାନଙ୍କୁ ଅନ୍ତର୍ଭୁକ୍ତି ହେବା ସହିତ ଭିନ୍ନକ୍ଷମ (ପି.ଡବ୍ଲ୍ୟୁ.ଡି.) ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ଭିନ୍ନକ୍ଷମ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନି ଭିନ୍ନକ୍ଷମ (ପି.ଡବ୍ଲ୍ୟୁ.ଡି.)ଙ୍କ ବିଶେଷ ଦକ୍ଷତା ଏବଂ ସାମର୍ଥ୍ୟକୁ ଚିହ୍ନିବା ଏବଂ ସେମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସମନ୍ୱିତ କରିବାରେ ସାହାଯ୍ୟ କରିବ ବୋଲି ଆଶା ରଖିଛି, ଯାହାଫଳରେ ଅଧିକ ବିବିଧ ଏବଂ ଅନ୍ତର୍ଭୁକ୍ତି କର୍ମଚାରୀ ସୃଷ୍ଟି ହେବେ ବୋଲି କୁହାଯାଇଛି । ୧୦ ଲକ୍ଷ ପି.ଡବ୍ଲ୍ୟୁ.ଡି.ଙ୍କ ପାଇଁ ହାରାହାରି ୨୦,୦୦୦/- ଟଙ୍କା ଦରମା ଥିବା ଏହି ନିଯୁକ୍ତି ସମ୍ଭାବ୍ୟ ଶିଳ୍ପରେ ପ୍ରାୟ ଦୁଇହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ କରିବାର ବିପୁଳ ସମ୍ଭାବନା ରହିଛି । ଏହି ଷ୍ଟାର୍ଟଅପ୍ ଡିପିଆଇଆଇଟି ଷ୍ଟାର୍ଟଅପ୍ ଇଣ୍ଡିଆ ଜାତୀୟ ଷ୍ଟାର୍ଟଅପ୍ ପୁରସ୍କାର ବିଜେତା-୨୦୨୩ର ଅନ୍ୟତମ ବିଜେତା ଥିଲା ।
Comments
Gunjan smita
Good job