ଶୁଣିଲେ କାନକୁ ଅବିଶ୍ୱାସ ଲାଗିପାରେ ! ମାତ୍ର ଦେଶପ୍ରେମ ଆଗରେ ନିଜର ଯନ୍ତ୍ରଣା ଓ ଅସାମର୍ଥ୍ୟତାକୁ ଯୁଦ୍ଧଯଜ୍ଞରେ ଆହୂତି ଦେଇ ଅଶ୍ରୁତପୂର୍ବ ସାହସର ନିଦର୍ଶନ ଦେଖାଇଛନ୍ତି ୟୁକ୍ରେନ ସୈନ୍ୟ । ଯୁଦ୍ଧରେ ଆହତ କିଛି ସୈନିକ ସୁସ୍ଥ ହେଲା ପରେ ପୁଣି ଯୁଦ୍ଧରେ ସାମିଲ ହୋଇଛନ୍ତି ।

ଶୁଣିଲେ କାନକୁ ଅବିଶ୍ୱାସ ଲାଗିପାରେ ! ମାତ୍ର ଦେଶପ୍ରେମ ଆଗରେ ନିଜର ଯନ୍ତ୍ରଣା ଓ ଅସାମର୍ଥ୍ୟତାକୁ ଯୁଦ୍ଧଯଜ୍ଞରେ ଆହୂତି ଦେଇ ଅଶ୍ରୁତପୂର୍ବ ସାହସର ନିଦର୍ଶନ ଦେଖାଇଛନ୍ତି ୟୁକ୍ରେନ ସୈନ୍ୟ । ଯୁଦ୍ଧରେ ଆହତ କିଛି ସୈନିକ ସୁସ୍ଥ ହେଲା ପରେ ପୁଣି ଯୁଦ୍ଧରେ ସାମିଲ ହୋଇଛନ୍ତି । ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ତିନି ବର୍ଷ ପୂରଣ ହୋଇଥିବାବେଳେ ୟୁକ୍ରେନ୍ ସୈନ୍ୟଙ୍କ ଏଭଳି କାହାଣୀ ସାମ୍ନାକୁ ଆସିଛି । ଦୀର୍ଘ ଯୁଦ୍ଧ ଲଢେ଼ଇ ପାଇଁ ୟୁକ୍ରେନ୍ ପାଖରେ ଯଥେଷ୍ଟ ସୈନ୍ୟ ନାହାନ୍ତି ସତ; ହେଲେ କୃତ୍ରିମ ଗୋଡ଼ହାତ ଲଗାଇ କିଛି ସୈନ୍ୟଙ୍କ ଯୁଦ୍ଧ କରିବାର ଚିତ୍ର ସେମାନଙ୍କ ଦେଶପ୍ରେମର ପ୍ରମାଣ ଦେଇଛି । ଯୁ୍କ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କିଙ୍କ ସୂଚନାନୁସାରେ ଦେଶର ପ୍ରାୟ ୪୬ ହଜାର ସୈନ୍ୟ ପ୍ରାଣ ହରାଇଛନ୍ତି ଓ ୩ ଲକ୍ଷ ୮୦ ହଜାର ଆହତ ହୋଇଥିବାବେଳେ ୧୦ ହଜାରରୁ ଅଧିକ ନିଖୋଜ ଅଛନ୍ତି । ଯୁଦ୍ଧର ସ୍ଥିତି ଏପରି ଯେ ସୈନିକମାନେ ଘରେ ବା ଡାକ୍ତରଖାନାରେ ପଡ଼ିରହିବାକୁ ପସନ୍ଦ କରୁନାହାନ୍ତି । ଦେଶପ୍ରେମର ଆହ୍ୱାନ ସେମାନଙ୍କୁ ଯୁଦ୍ଧକ୍ଷେତ୍ରକୁ ଡାକିଆଣୁଛି । ଯୁଦ୍ଧ ଅନେକଙ୍କ ପସନ୍ଦ ନ ଥିଲେ ମଧ୍ୟ ସେମାନେ ୟୁନିଫର୍ମ ପିନ୍ଧି ରଡେ଼ଲରେ ସାମିଲ ହୋଇଛନ୍ତି । ୟୁକ୍ରେନ୍ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ୩୮ ବର୍ଷୀୟ ଆଣ୍ଡ୍ରି ରବଲିକ୍ ନାମକ ଜଣେ ସୈନ୍ୟ ଯୁଦ୍ଧକ୍ଷେତ୍ରରେ ବିସ୍ଫୋରଣରେ ଉଭୟ ହାତ ଓ ଗୋଟିଏ ଗୋଡ଼ ହରାଇଛନ୍ତି । ଦାର୍ଘ ଦୁଇ ବର୍ଷ ଚିକିତ୍ସା ପରେ ସେ କୃତ୍ରିମ ହାତ ଓ ଗୋଡ଼ ଲଗାଇ ପୁନର୍ବାର ବନ୍ଧୁକ ଧରି ଯୁଦ୍ଧକୁ ଓହ୍ଲାଇଛନ୍ତି । ତାଙ୍କ କହିବାନୁସାରେ ବହୁ ସୈନିକ ଏଭଳି ଅବସ୍ଥାରେ ଯୁଦ୍ଧକ୍ଷେତ୍ରକୁ ଫେରିଛନ୍ତି । ଦେଶ ପାଇଁ କର୍ତ୍ତବ୍ୟ ସେମାନଙ୍କୁ ଫେରାଇ ଆଣିଛି । ଏଥିରେ ପଶ୍ଚାତାପ କରିବାର କିଛି ନାହିଁ । ରବଲିକ୍ ଙ୍କ ପରି ଆଉ ଜଣେ ହେଉଛନ୍ତି ୪୨ ବର୍ଷୀୟ ମାକସିମ ଭିସୋସ୍କି । ଯୁଦ୍ଧରେ ସେ ଗୋଟିଏ ଗୋଡ଼ ହରାଇଥିଲେ । ପ୍ରାୟ ୮ ମାସ ଚିକିତ୍ସା ପରେ ସେ ପୁଣି ୟୁନିଫର୍ମ ପିନ୍ଧି ଲଢେ଼ଇକୁ ଓହ୍ଲାଇଲେ । ଘରକୁ ଫେରିବା ପରେ ଏହା ଆବଶ୍ୟକ ଥିଲା ବୋଲି ସେ କହନ୍ତି । ଏବେ ସେ ବିସ୍ଫୋରକ ଭର୍ତ୍ତି ଡ୍ରୋନ୍ ପରିବହନ ଦାୟିତ୍ୱରେ ଅଛନ୍ତି । କ୍ୟାପ୍ଟେନ୍ ଅଲେକଜାଣ୍ଡାର ପୁଜିକୋଭାଙ୍କ କାହାଣୀ ମଧ୍ୟ ସେମିତି । ହାତ ହରାଇଥିବା ୪୦ ବର୍ଷୀୟ ଏହି ଯୋଦ୍ଧା ପ୍ରାୟ ଅଢେ଼ଇ ବର୍ଷ ପରେ ଯୁଦ୍ଧକ୍ଷେତ୍ରକୁ ଫେରିଛନ୍ତି । ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସତ୍ତ୍ୱେ ସେ ଲଢେ଼ଇ ଜାରି ରଖିଛନ୍ତି । ଅନ୍ୟ ଜଣେ ହେଉଛନ୍ତି ୩୪ ବର୍ଷୀୟ ଅଲେକଜାଣ୍ଡାର ଝାଲିନସ୍କି । ଗୋଟିଏ ହାତ ହରାଇଥିବା ଝାଲିନସ୍କି ସେନା ଗାଡ଼ିରେ ଗୋଳାବାରୁଦ ବୋହୁଛନ୍ତି । ଏମିତି ଅନେକ ଅଛନ୍ତି, ଯେଉଁମାନଙ୍କ ହାତ ବା ଗୋଡ଼ କଟାହୋଇଛି । କାହାର ଅନ୍ୟ କୌଣସି ଅଙ୍ଗ କ୍ଷତିଗ୍ରସ୍ତ ହୋଇଛି; ତଥାପି ସେମାନେ ଯୁଦ୍ଧକ୍ଷେତ୍ରକୁ ଫେରିଛନ୍ତି । ପ୍ରବଳ ଯନ୍ତ୍ରଣା ସତ୍ତ୍ୱେ ସେମାନେ ଯୁଦ୍ଧ ଜାରି ରଖିଛନ୍ତି, ଆବଶ୍ୟକ ହେଲେ ଜୀବନ ଦେବାକୁ ମଧ୍ୟ ପଣ କରିଛନ୍ତି । ସେମାନଙ୍କ କାହାଣୀ ୟୁକ୍ରେନବାସୀଙ୍କୁ ବିଜୟ ପାଇଁ ଉତ୍ସାହିତ କରୁଛି । ଅନେକ ନାଗରିକ କାମଧନ୍ଦା ଛାଡ଼ି ବନ୍ଧୁକ ଧରୁଛନ୍ତି । ଅପରପକ୍ଷରେ ରୁଷିଆ ଅନେକ ଆହତ ସୈନିକଙ୍କୁ ବାଧ୍ୟକରି ଯୁଦ୍ଧକ୍ଷେତ୍ରକୁ ଫେରାଇଥିବା ଜଣାପଡ଼ିଛି । ସମ୍ପ୍ରତି ଯୁଦ୍ଧର ସ୍ଥିତି ବଦଳିଯାଇଛି । ୟୁକ୍ରେନକୁ ଯୁଦ୍ଧ ପାଇଁ ଉସୁକାଇଥିବା ଓ ଅସ୍ତ୍ରଶସ୍ତ୍ର ସହାୟତା ଦେଉଥିବା ଆମେରିକା ମତିଗତି ପରିବର୍ତ୍ତନ ସହ ରୁଷିଆ ସହିତ ଯୁଦ୍ଧ ବନ୍ଦ ସମ୍ପର୍କରେ ଆଲୋଚନା କରୁଛି । ଏଥିରେ ୟୁକ୍ରେନକୁ ସାମିଲ କରୁନାହିଁ ବରଂ ଯୁଦ୍ଧ ବନ୍ଦ ପାଇଁ ଧମକ ଦେଉଛି । ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ରାଷ୍ଟ୍ରପତି ହେବା ପରେ ଏଭଳି ସ୍ଥିତି ଉପୁଜିଛି । ଟ୍ରମ୍ପଙ୍କ ଧମକକୁ ଜେଲେନସ୍କି ନିଜ ସୈନିକଙ୍କ ପରି ଖାତିର କରୁନାହାନ୍ତି ।