ଭିନ୍ନକ୍ଷମ କଲ୍ୟାଣ ପାଇଁ ଚଳିତ ବର୍ଷ ରଖାଯାଇଥିବା ବଜେଟ୍ ୨୦୨୪ରେ ୧୨୨୫ କୋଟି ଟଙ୍କା ତୁଳନାରେ ସାମାନ୍ୟ ବୃଦ୍ଧି ପାଇ ୧୨୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ତୁଳନାରେ ମାତ୍ର ୩.୪୩% ବୃଦ୍ଧି ପାଇଛି । ତେବେ ୨୦୨୦-୨୧ରେ ୩୦ ଲକ୍ଷ କୋଟିରୁ ୨୦୨୫- ୨୦୨୬ରେ ୫୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବଜେଟ୍ ପରିପ୍ରେକ୍ଷୀରେ ଦେଖିଲେ ଆମେ ଦେଖୁଛୁ ଯେ ଭିନ୍ନକ୍ଷମ କଲ୍ୟାଣ ପାଇଁ ବଜେଟ୍ ଆବଣ୍ଟନ ୧୩୨୫ କୋଟି ଟଙ୍କାରୁ ୧୨୭୫ କୋଟି ଟଙ୍କାକୁ ଖସି ଆସିଛି ।
ଚଳିତ କେନ୍ଦ୍ର ବଜେଟ୍ ସମ୍ପର୍କିତ ଆକଳନରେ ଏକ ଅଣଲାଭକାରୀ ସଂଗଠନ “ସେଣ୍ଟର ଫର୍ ଇନକ୍ଲୁସିଭ୍ ପଲିସି” କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ସମଗ୍ର କେନ୍ଦ୍ର ବଜେଟ୍ ୨୦୨୫ ଅଭିଭାଷଣରେ ଥରେ ବି ଭିନ୍ନକ୍ଷମଙ୍କ ବିଷୟରେ ଉଲ୍ଲେଖ କରି ନ ଥିଲେ ବୋଲି ପ୍ରକାଶ କରିଛନ୍ତି ।
ଭିନ୍ନକ୍ଷମ ଅଧିକାର କର୍ମୀମାନେ ବିଶ୍ୱାସ କରନ୍ତି ଯେ ସମ୍ବଳ ଆବଣ୍ଟନ ଦିଗରେ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରାଯାଇଥାଏ, ଯାହା ବର୍ଷକୁ ବର୍ଷ ବଳବତ୍ତର ରହିଥାଏ । ଭିନ୍ନକ୍ଷମଙ୍କ ପ୍ରତି ଲଗାତାର ଅବହେଳାକୁ ନେଇ ନ୍ୟାସନାଲ ପ୍ଲାଟଫର୍ମ ଫର୍ ଦି ରାଇଟ୍ସ ଅଫ୍ ଦି ଦିବ୍ୟାଙ୍ଗ (ଏନ୍.ପି.ଆର୍.ଡି.) ଭଳି ଅନେକ ଭିନ୍ନକ୍ଷମ ଅଧିକାର ସଂଗଠନ ତୀବ୍ର ବିରୋଧ କରିଛନ୍ତି ।
ଭିନ୍ନକ୍ଷମ କଲ୍ୟାଣ ପାଇଁ ଚଳିତ ବର୍ଷ ରଖାଯାଇଥିବା ବଜେଟ୍ ୨୦୨୪ରେ ୧୨୨୫ କୋଟି ଟଙ୍କା ତୁଳନାରେ ସାମାନ୍ୟ ବୃଦ୍ଧି ପାଇ ୧୨୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ତୁଳନାରେ ମାତ୍ର ୩.୪୩% ବୃଦ୍ଧି ପାଇଛି । ତେବେ ୨୦୨୦-୨୧ରେ ୩୦ ଲକ୍ଷ କୋଟିରୁ ୨୦୨୫-୨୦୨୬ରେ ୫୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବଜେଟ୍ ପରିପ୍ରେକ୍ଷୀରେ ଦେଖିଲେ ଆମେ ଦେଖୁଛୁ ଯେ ଭିନ୍ନକ୍ଷମ କଲ୍ୟାଣ ପାଇଁ ବଜେଟ୍ ଆବଣ୍ଟନ ୧୩୨୫ କୋଟି ଟଙ୍କାରୁ ୧୨୭୫ କୋଟି ଟଙ୍କାକୁ ଖସି ଆସିଛି । ସେଣ୍ଟର ଫର୍ ଇନକ୍ଲୁସିଭ୍ ପଲିସି ଅନୁଯାୟୀ, ଭିନ୍ନକ୍ଷମବ୍ୟକ୍ତିଙ୍କ ପାଇଁ ନିର୍ଦ୍ଧିଷ୍ଟ ଆବଣ୍ଟନ ମଧ୍ୟ ଗତ ବର୍ଷରେ ଜିଡିପିର ୦.୦୦୮%ରୁ ୦.୦୦୭%କୁ ହ୍ରାସ ପାଇଛି, ଏପରିକି ସହାୟକ ଉପକରଣ କ୍ରୟ ଓ ବ୍ୟବହାର ଉଦ୍ଧିଷ୍ଟେ ସହାୟତା ରାଶିର ବଜେଟ୍ ଆବଣ୍ଟନରେ ସାମାନ୍ୟ ବୃଦ୍ଧି କରାଯାଇଛି, ମାତ୍ର ଅନ୍ୟାନ୍ୟ କ୍ଷେତ୍ରରେ ଆବଣ୍ଟନକୁ ହ୍ରାସ କରାଯାଇଛି । ଜଣେ ଭିନ୍ନକ୍ଷମ ଅଧିକାର କର୍ମୀ ସତ୍ୟେନ୍ଦ୍ର ସିଂହ କୁହନ୍ତି, “ଉଦାହରଣ ସ୍ୱରୂପ, ଅତ୍ୟାବଶ୍ୟକ ସହାୟକ ଉପକରଣଉପରେ GST (ସାମଗ୍ରୀ ଓ ସେବା ଟିକସ) ଜାରି ରହିଛି, ଯାହା ଭିନ୍ନକ୍ଷମଙ୍କ ପାଇଁ ଶରୀରର ଅଙ୍ଗ ପରି: ଗତିଶୀଳତା ସହାୟକ, କୃତ୍ରିମ ଶ୍ରବଣଯନ୍ତ୍ର ଏବଂ ସଂଶୋଧିତ ଯାନ । ଏହାକୁ ତୁଳନା କଲେ ବ୍ରାଣ୍ଡେଡ୍ ଅଳଙ୍କାରରୁ ଆମଦାନୀ ଶୁଳ୍କ ୨୫%ରୁ ୨୦%କୁ ହ୍ରାସ କରାଯାଇଛି ।
ବିଜେପି ସାଂସଦ ରମା ଦେବୀଙ୍କ ନେତୃତ୍ୱରେ ୨୦୨୩ ରେ ଏକ ସଂସଦୀୟ କମିଟି ଅତ୍ୟାବଶ୍ୟକ ଉପକରଣ ଉପରେ ୫% GST ହଟାଇବାକୁ ଅନୁରୋଧ କରିବା ସହ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ମଧ୍ୟ ସଦ୍ୟତମ ବଜେଟରେ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ । ନ୍ୟାସନାଲ ସେଣ୍ଟର ଫର ପ୍ରମୋସନ୍ ଅଫ୍ ଏମ୍ପ୍ଲଏମେଣ୍ଟ ଫର୍ ଡିଜାବିଲିଟି ପିପୁଲ (ଏନ୍.ସି.ପି.ଇ.ଡି.ପି.)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅରମାନ୍ ଅଲ୍ଲୀଙ୍କ ଏକ ସାକ୍ଷାତକାର ଅନୁଯାୟୀ, ସହାୟକ ଜ୍ଞାନକୌଶଳର ଘରୋଇ ଉତ୍ପାଦନକାରୀଙ୍କୁ କୌଣସି ପ୍ରୋତ୍ସାହନ ଦିଆଯାଉନଥିବା ବେଳେ ‘ମେଡ୍ ଇନ୍ ଇଣ୍ଡିଆ’ ଖେଳନା ଶିଳ୍ପକୁ ଜୋରଦାର ପ୍ରୋତ୍ସାହନ ଦିଆଯାଇଛି ।
ଅମ୍ବ୍ରେଲା ଯୋଜନାରେ ବଜେଟ୍ ହ୍ରାସ:
ଏସ୍.ଆଇ.ପି.ଡି.ଏ. ବା ଭିନ୍ନକ୍ଷମ ଅଧିକାର ଯୋଜନା ପ୍ରଣୟନ, ୨୦୧୬ର ବଜେଟ୍ ୨୦୨୦-୨୧ରେ ୨୫୧ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ୧୧୫ କୋଟି ଟଙ୍କାକୁ ହ୍ରାସ କରିବା ସାମାଜିକ କର୍ମୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ମୁଖ୍ୟସ୍ରୋତାଭିମୁଖୀ ଏହା ଏକ ବହୁମୁଖୀ ଯୋଜନା, ଯେଉଁଥିରେ ସୁଗମ ଭାରତ ଅଭିଯାନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ରହିଛି ଯାହା ସୁଗମ୍ୟ ଭିତ୍ତିଭୂମି, ଭିନ୍ନକ୍ଷମଙ୍କ ପାଇଁ ଏକ ଅନଲାଇନ୍ ପାଠାଗାର ଏବଂ ବିଭିନ୍ନ ବୃତ୍ତି ଉପରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥାଏ । ବିଭିନ୍ନ ଯୋଜନା ମଧ୍ୟରୁ ସମ୍ଭବତଃ ଏସଆଇପିଡିଏ କୁ କ୍ରମାଗତ ବଜେଟ୍ ହ୍ରାସ ପାଣ୍ଠିର ଅଳ୍ପ ବ୍ୟବହାର ଯୋଗୁଁ ପାଣ୍ଠି ଆବଣ୍ଟନ କମ୍ ହୋଇଛି । ଏହା ଆମକୁ ପରବର୍ତ୍ତୀ ପ୍ରମୁଖ ସମସ୍ୟା ଆଡକୁ ନେଇଯାଏ ଯାହା ଆଗାମୀ ବର୍ଷ ଗୁଡ଼ିକରେ ଭିନ୍ନକ୍ଷମ ବଜେଟକୁ ପ୍ରଭାବିତ କରିବ । ବଜେଟ୍ ଆବଣ୍ଟନ କେବଳ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ । ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥକୁ ପ୍ରାଥମିକତା ଦେବାର ସରକାରଙ୍କ ଉଦ୍ଦେଶ୍ୟ କୁ ସୂଚାଇଥାଏ ଯାହା ବାସ୍ତବ ଖର୍ଚ୍ଚରେ ପରିଣତ ହୋଇପାରେ କିମ୍ବା ହୋଇନପାରେ । ଭିନ୍ନକ୍ଷମଙ୍କ ପାଇଁ କେନ୍ଦ୍ର ବଜେଟରୁ ବଜେଟ୍ ଆବଣ୍ଟନର ପ୍ରକୃତ ଉପଯୋଗ ନିରାଶାଜନକ ବୋଲି ବର୍ଷ ବର୍ଷ ଧରି ମିଳିଥିବା ତଥ୍ୟରୁ ଜଣାପଡ଼ିଛି । ଉଦାହରଣ ସ୍ୱରୂପ, ୨୦୨୦-୨୦୨୧ରେ ପ୍ରାୟ ୬୪% ପାଣ୍ଠି ବ୍ୟବହୃତ ହୋଇନଥିବା ବେଳେ ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହା ୮୬% ଏବଂ ୭୯%କୁ ବୃଦ୍ଧି ପାଇଛି ଏବଂ ୨୦୨୩-୨୦୨୪ରେ ୯୩% ପାଣ୍ଠି ଅବ୍ୟବହୃତ ରହିଥିଲା ।
୨୦୨୦-୨୦୨୧ରେ ଏସଆଇପିଡିଏ ପାଇଁ ପାଣ୍ଠିର ଅଭାବ ସମ୍ପର୍କରେ ସଂସଦୀୟ ସ୍ଥାୟୀ କମିଟି ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ପଚରାଉଚରା କରିବା ପରେ ଏହି ଅବ୍ୟବହୃତ ପାଣ୍ଠି ବ୍ୟବଧାନର ବାସ୍ତବତାକୁ ସ୍ୱୀକାର କରାଯାଇଥିଲା । ବିଭାଗ ପକ୍ଷରୁ ଦିଆଯାଇଥିବା ଉତ୍ତରରେ କୁହାଯାଇଥିଲା, କୋଭିଡ୍ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରସ୍ତାବ ଓ ବାଧା ଉପସ୍ଥାପନ କରିବାରେ ରାଜ୍ୟ ସରକାରଙ୍କ ଅବହେଳା । କିନ୍ତୁ ୨୦୨୫ରେ ଏହି ଦୁଇଟି କାରଣ ମଧ୍ୟରୁ କୌଣସି ଗୋଟିଏ ସତ ନୁହେଁ । ବିଡ଼ମ୍ବନାର ବିଷୟ ହେଉଛି, ପାଣ୍ଠିର ବ୍ୟବହାର ପାଇଁ ସମୁଚିତ ପଦକ୍ଷେପ ନେବା ପରିବର୍ତ୍ତେ ବର୍ଷ ବର୍ଷ ଧରି ବଜେଟ୍ ହ୍ରାସ କରି ଏହି ସମସ୍ୟାର ମୁକାବିଲା କରାଯାଉଛି ।
ସରକାରୀ-ଘରୋଇ ଭାଗିଦାରୀରେ ଅନେକ ସରକାରୀ ଯୋଜନା କାର୍ଯ୍ୟ କରୁଥିବା ବେଳେ ଜଣେ ଅଗ୍ରଣୀ ଭିନ୍ନକ୍ଷମ କର୍ମୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଏନଜିଓ ଗୁଡ଼ିକ ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଏହି ପାଣ୍ଠିର ସଠିକ ଉପଯୋଗ କରିବାରେ ଅସମର୍ଥ ହେବାର ଏକ ସମ୍ଭାବ୍ୟ କାରଣ ହୋଇପାରେ । ଭିନ୍ନକ୍ଷମଙ୍କ ପାଇଁ ପେନସନ ମଧ୍ୟ ଉପଲବ୍ଧ ହୋଇଛି, ମାତ୍ର ୩.୮% ଲୋକଙ୍କୁ ଆବଣ୍ଟନ କରାଯାଇଛି (ପୁରୁଣା ୨୦୧୧ ଜନଗଣନା ଅନୁଯାୟୀ), ତାହା ମଧ୍ୟ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ଯେଉଁମାନଙ୍କର ୮୦% କିମ୍ବା ତା’ଠାରୁ ଅଧିକ ଭିନ୍ନକ୍ଷମ ଅଛନ୍ତି । ଇନ୍ଦିରା ଗାନ୍ଧୀ ଭିନ୍ନକ୍ଷମ ପେନସନ୍ ଯୋଜନା ଜରିଆରେ ଆବଣ୍ଟନ କରାଯାଇଥିବା ଏହି ରାଶି ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ମାତ୍ର ୩୦୦ ଟଙ୍କା ମିଳେ, ଯାହା କି ଭରଣପୋଷଣ ପାଇଁ ଯଥେଷ୍ଟ ନୁହେଁ ।
ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖିଲେ ଏହି ପରିମାଣ ପ୍ରାୟତଃ ଅର୍ଥହୀନ ଏବଂ ୨୦୧୨ ପରଠାରୁ ସ୍ଥିର ରହିଛି । ପେନସନ ବୃଦ୍ଧି ପାଇଁ ଷ୍ଟାଣ୍ଡିଂ କମିଟି ସୁପାରିସ କରିଥିଲେ ମଧ୍ୟ ଏହି ଯୋଜନାରେ ବଜେଟ୍ ଆବଣ୍ଟନ ୨୯ କୋଟି ଟଙ୍କା ରହିଛି, ଯାହା କି ଗତବର୍ଷ ଭଳି । ଏଠାରେ କହିବା ଅନାବଶ୍ୟକ ଯେ ଭିନ୍ନକ୍ଷମତା ସହ ବଞ୍ଚୁଥିବା ବ୍ୟକ୍ତିର ଜୀବିକା ନିର୍ବାହନ ଖର୍ଚ୍ଚ ବିନା ଭିନ୍ନକ୍ଷମତାରେ ବଞ୍ଚୁଥିବା ବ୍ୟକ୍ତିଙ୍କ ଖର୍ଚ୍ଚ ତୁଳନାରେ ଯଥେଷ୍ଟ ଅଧିକ । ଏହି ଦିଗରେ ମାନସିକ ସ୍ୱାସ୍ଥ୍ୟ ବିକାର ପ୍ରତି କ୍ରମଶଃ ପ୍ରଭାଭିତ ହେବାର ପ୍ରବଣତା ବୃଦ୍ଧି, ଅଣସଂକ୍ରାମକ ରୋଗର ପ୍ରାଧାନ୍ୟ, ବ୍ୟୟବହୁଳ ସହାୟକ ଜ୍ଞାନକୌଶଳ ଏବଂ ଅପର୍ଯ୍ୟାପ୍ତ ଅଣଉପଲବ୍ଧ ବୀମା ଯୋଜନା ଏହି ଚିତ୍ରକୁ ଆହୁରି ଜଟିଳ କରିଥାଏ ।
ବ୍ୟାପକ ତଥ୍ୟର ଅଭାବ:
ସମ୍ବଳ ଆବଣ୍ଟନ ଏବଂ ସମ୍ବଳ ବ୍ୟବହାରର ମୁଖ୍ୟ ସମସ୍ୟାର ମୂଳ ହେଉଛି ତଥ୍ୟର ଅଭାବ, ଯାହା ବିଗତ କିଛି ବର୍ଷ ଧରି ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ପୁନରାବୃତ୍ତି ହୋଇଚାଲିଛି । ଭାରତରେ ଭିନ୍ନକ୍ଷମ ଜନସଂଖ୍ୟାର ଆକାରକୁ ନେଇ କୌଣସି ସହମତି ନାହିଁ । ୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ ଭିନ୍ନକ୍ଷମ ଜନସଂଖ୍ୟା ୨.୨%; ଜାତୀୟ ନମୁନା ସର୍ବେକ୍ଷଣ ରିପୋର୍ଟରେ ୨୦୧୮ରେ ସମାନ ପ୍ରତିଶତ ଦେଖିବାକୁ ମିଳିଛି । ସଦ୍ୟତମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ରେ ୨୦୧୯-୨୦୨୧ ବର୍ଷରୁ ଏହା ୪.୫% ରହିଛି ବୋଲି ଆକଳନ କରାଯାଇଛି, ଯଦିଓ ସରକାର ଏନ୍.ଏଫ୍.ଏଚ୍.ଏସ୍.-୬ରେ ଭିନ୍ନକ୍ଷମ ସମ୍ବନ୍ଧୀୟ ପ୍ରଶ୍ନକୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହି ପାର୍ଥକ୍ୟ ଅକ୍ଷମତାର ବିଷୟଗତ ସଂଜ୍ଞାରୁ ଉତ୍ପନ୍ନ ହୋଇଅଛି । ଏହି ଜନଗଣନାରେ ଭିନ୍ନକ୍ଷମ ଅଧିକାର (ଆର୍.ପି.ଡବ୍ଲ୍ୟୁ.ଡି.) ଅଧିନିୟମ ଦ୍ୱାରା ନିର୍ଦ୍ଧିଷ୍ଟ ୨୧ଟି ପରିବର୍ତ୍ତେ ସ୍ୱୟଂ ଚିହ୍ନଟିକରଣ ଆଧାରରେ ଭିନ୍ନକ୍ଷମର ଆଠଟି କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇଥାଏ; ଏନ୍ଏଫ୍ଏଚ୍ଏସ୍ (NFHS ) ଏହାକୁ ପାଞ୍ଚଟି ବେଞ୍ଚମାର୍କ ଅକ୍ଷମତାରେ ସୀମିତ କରିଛି । ବେଞ୍ଚମାର୍କ ଅକ୍ଷମତା (୪୦%) ମଧ୍ୟ ଏକ ମନମୁଖୀ ହିସାବ ଯାହାର ଏକାଧିକ ସମସ୍ୟା ରହିଛି । ପ୍ରଥମତଃ, ଏହା ସାର୍ଟିଫିକେସନ୍ ଉପରେ ଆଧାରିତ, ଯାହା ସାମାଜିକ ମଡେ଼ଲ (ସାମାଜିକ ପ୍ରତିବନ୍ଧକ) କିମ୍ବା କାର୍ଯ୍ୟକାରୀ ଅଭାବ ପରିବର୍ତ୍ତେ ଏକ ଡାକ୍ତରୀ ମଡେଲ୍ (ଶାରୀରିକ ଅଭାବ) ଉପରେ ଆଧାରିତ । ଉଦାହରଣ ସ୍ୱରୂପ, ଏନ୍.ଏଫ୍.ଏଚ୍.ଏସ୍. କେବଳ ଗୋଟିଏ ଆଖିରେ ପୂର୍ଣ୍ଣ ଦୃଷ୍ଟିଶକ୍ତି ଥିବା ବ୍ୟକ୍ତିଙ୍କୁ ଅକ୍ଷମ ବୋଲି ବିବେଚନା କରେ ନାହିଁ । ସମୁଦାୟ ଅକ୍ଷମତାର ପ୍ରତିଶତ ଗଣନା କରିବା ପାଇଁ ନିର୍ଦ୍ଧେଶାବଳୀ ମନମୁଖୀ ଅଟେ । ବଡ଼ ଆଙ୍ଗୁଠି କଟିଯିବା କ୍ଷେତ୍ରରେ ଶତକଡା ୧୦ ପ୍ରତିଶତ, ଛୋଟ ଆଙ୍ଗୁଠି କ୍ଷେତ୍ରରେ ମାତ୍ର ଏକ ପ୍ରତିଶତ ଏବଂ ସମସ୍ତ ପାଞ୍ଚଟି ଆଙ୍ଗୁଠିକୁ ମିଶାଇ ଶତକଡା ୨୦ ପ୍ରତିଶତ ହୋଇଥାଏ ।
ତଥ୍ୟର ଏହି ଅସ୍ପଷ୍ଟତା ଦିବ୍ୟାଙ୍ଗମାନଙ୍କୁ ପରିଦୃଶ୍ୟ କରିବାରେ ବାଧକ ସାଜିଥାଏ, ଏହା ମଧ୍ୟ ପୁନଶ୍ଚ ଜାତି, ଲିଙ୍ଗ, ଧର୍ମ କିମ୍ବା ଆଦିବାସୀ ପରି ଅନ୍ୟାନ୍ୟ ଅଣଅଗ୍ରସର ବର୍ଗରେ ଗୁରୁତର ହୋଇଥାଏ ।
ସମ୍ବିଧାନର ଧାରା ୩୮(୧) ଅନୁଯାୟୀ ଭାରତକୁ ଏକ ଜନକଲ୍ୟାଣକାରୀ ରାଷ୍ଟ୍ର ଭାବେ ବର୍ଣ୍ଣନା କରାଯାଇଥିଲେ ମଧ୍ୟ ଉପରୋକ୍ତ ସଂଖ୍ୟା ଭିନ୍ନ ଚିତ୍ର ଉପସ୍ଥାପନ କରୁଛି । ୨୦୨୩ର ଜାତୀୟ ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ ଏକ ବିଶାଳ ଭିନ୍ନକ୍ଷମ ଜନସଂଖ୍ୟାକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାମିଲ କରିବାରେ ଅସାମର୍ଥତା ଯୋଗୁଁ ବାର୍ଷିକ ୪.୫ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥାଏ, ଯାହା କି ଆମର ବାର୍ଷିକ ଜିଡିପିର ପ୍ରାୟ ୪% ଅଟେ । ଏହି ପରିସଂଖ୍ୟାନ ଆମକୁ ଦର୍ଶାଉଛି ଯେ ତୁରନ୍ତ ଧ୍ୟାନ ଏବଂ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଭିନ୍ନକ୍ଷମଙ୍କ ଅଧିକାର ଆଇନ, ୨୦୧୬ରେ ଭିନ୍ନକ୍ଷମବ୍ୟକ୍ତିଙ୍କ ଅନେକ ଅଧିକାର ବିଷୟରେ ଉଲ୍ଲେଖ ରହିଛି, ଯେଉଁଥିରେ ସମ୍ମାନ, ସ୍ୱୟଂଶାସିତତା, ସମାନ ସୁଯୋଗର ଅଧିକାର ଏବଂ ଅବସର ଓ ମନୋରଞ୍ଜନର ଅଧିକାର ଅନ୍ତର୍ଭୁକ୍ତ । ସାମାଜିକ ସମ୍ପର୍କ, ମାନସିକ ସୁସ୍ଥତା ସହିତ ମନୋରଞ୍ଜନ ଓ ମଜା ପ୍ରଭୃତି ମାନବ ଜୀବନର ପ୍ରମୁଖ କେନ୍ଦ୍ରୀୟ ଦିଗ ଅଟେ । ତେବେ,ଏହି ସର୍ବନିମ୍ନ ମୌଳିକ ଜୀବନଧାରଣର ବଞ୍ଚିବା ଆବଶ୍ୟକତାକୁ ସୁନିଶ୍ଚିତ କରିବାରେ ସରକାରଙ୍କ ଅସମର୍ଥତା କାରଣରୁ ଭିନ୍ନକ୍ଷମଙ୍କ ପାଇଁ ଏହି ବ୍ୟାପକ ଅଧିକାର ତଥାପି ଅପହଞ୍ଚ ରହିଛି ।

୨୦୨୩ ମସିହାରେ ଦୃଶ୍ୟ କିମ୍ବା ଶ୍ରବଣ ଭିନ୍ନକ୍ଷମ ଥିବା ୪ ଜଣ ଯଶରାଜ ଫିଲ୍ମସ ବିରୋଧରେ ମାମଲା ରୁଜୁ କରି ଦୃଷ୍ଟିହୀନଙ୍କ ପାଇଁ ଅଡ଼ିଓ ବର୍ଣ୍ଣନା ଏବଂ ଶ୍ରବଣହୀନଙ୍କ ପାଇଁ ପର୍ଯ୍ୟାପ୍ତ ସବ୍ ଟାଇଟେଲିଙ୍ ଓ କ୍ଲୋଜ କ୍ୟାପ୍ସନ ଭଳି ପଦ୍ଧତି ବ୍ୟବହାର କରି ଫିଲ୍ମ ‘ପଠାନ୍’ର ଦୃଶ୍ୟକୁ ଉପଲବ୍ଧ କରାଇବାକୁ ଅନୁରୋଧ କରିଥିଲେ । ଏହା ପରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଥିଲେ ଯେଉଁଥିରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଚଳଚ୍ଚିତ୍ର ଦେଖିବାକୁ ଏକ ଆନନ୍ଦଦାୟକ ଅନୁଭୂତି କରିବା ପାଇଁ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାଦ୍ୱାରା ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଥିଲା । ଉକ୍ତ ମାମଲା ହୁଏତ, ଅନେକ ରାୟ ମଧ୍ୟରୁ ନଗଣ୍ୟ ହୋଇଥାଇପାରେ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଜୟ ମଧ୍ୟରୁ ଗୋଟିଏ ।
ଭାରତରେ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣର ରାସ୍ତା ଲମ୍ବା, କିନ୍ତୁ ପ୍ରଥମ ପଦକ୍ଷେପ ହେଉଛି କେବଳ ନାମମାତ୍ର ବଞ୍ଚିବା ପରିବର୍ତ୍ତେ ସମ୍ମାନ ଆଡ଼କୁ ଅଗ୍ରସର ହେବା ଉଚିତ୍ । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କେବଳ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ଭାବରେ ନୁହେଁ, ଅଧିକନ୍ତୁ, ସେମାନଙ୍କୁ ଅଧିକାର ସହିତ ପୂର୍ଣ୍ଣ ନାଗରିକ ଭାବରେ ସ୍ୱୀକୃତି ଦେବା ପ୍ରଭୃତି ମୌଳିକ ପରିବର୍ତ୍ତନକୁ ବଜେଟ୍ରେ ପ୍ରାଥମିକତା, କାର୍ଯ୍ୟାନ୍ୱୟନ ପାଇଁ ସଠିକ ରଣନୀତି ଏବଂ ସାମାଜିକ ମନୋଭାବରେ ପରିବର୍ତ୍ତନ ଆବଶ୍ୟକ କରେ ।
Comments
Sanjib Kumar Jena
Very Good