ଅଟିଜିମ୍, ଏଡ଼ି ଏଚ୍ ଡି, ଏଏସ୍ଡ଼ି, ଡାଉନ୍ ସିନଡ୍ରମ୍ ସେରେବ୍ରାଲ ପାଲସି ଏସବୁ ଶବ୍ଦ ଶିଶୁ କ୍ଷେତ୍ରରେ ଏକ ବ୍ୟତିକ୍ରମ ଏବଂ ଶୁଣିଲା ବେଳେ ମନ ଭିତରେ ଅନେକ ଦ୍ୱନ୍ଦ୍ୱ, ନିରାଶ ଭାବନା ଓ ଅଡୁଆ ତଡୁଆ ପ୍ରଶ୍ନ ଓ ତା’ର ସମାଧାନର ବାଟ ନିର୍ଣ୍ଣୟ କରିବାରେ ପିତାମାତା ଓ ପରିବାରବର୍ଗ ଓ ସମାଜ ପାଇଁ ଅନେକଟା ସମାଧାନର ବାଟ ଖୋଜିବାରେ ଦିନ ବର୍ଷ ଦଣ୍ଡ ବିତିଯାଏ ।

କିନ୍ତୁ ଏହି ଅଟିଜମ୍ ବା ଏଡିଏଚ୍ଡ଼ିର ଶିକାର ସାର୍ଥକ ଦ୍ୱିବେଦୀ କ୍ଷେତ୍ରରେ ବାଧକତା ହାର୍ ମାନିଛି ଓ ସେ ନିଜକୁ ଏକ ବହୁବିଧ ପ୍ରତିଭାର ଅଧିକାରୀ ରୂପେ ପ୍ରତିପାଦନ କରିପାରିଛନ୍ତି ।
ଗୀତ, ଚିତ୍ରାଙ୍କନ, ନୃତ୍ୟ, ବକ୍ତୃତା, ଫେସନ୍ ସୋ ବାଦ୍ୟଯନ୍ତ୍ର ବଜାଇବା, ଖେଳକୁଦ ଇତ୍ୟାଦି ବିଭିନ୍ନକ୍ଷେତ୍ରରେ ସେ ଲୋକମାନଙ୍କର ମନ ଜିଣି ପାରିଛନ୍ତି । କେବଳ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଗହଣରେ ନୁହଁନ୍ତି । ସକ୍ଷମମାନଙ୍କ ସହ ପ୍ରତିଯୋଗିତା କରି ମଧ୍ୟ ସେ ବିଜୟୀ ହୋଇପାରିଛନ୍ତି । ଏଥି ସଙ୍ଗେ ସଙ୍ଗେ ସହପାଠୀମାନଙ୍କୁ ପଛରେ ପକାଇ ଦେଇଛନ୍ତି । ଏହା କେବଳ ସମ୍ଭବ ହୋଇପାରିଛି ସାର୍ଥକଙ୍କ ନିଷ୍ଠା, ପରାକାଷ୍ଠା ବାପା ମା’ଙ୍କ ଅକୁଣ୍ଠ ସ୍ନେହ ଓ ପରିଶ୍ରମ ଯୋଗୁଁ ସାର୍ଥକ ଏବେ ତାଙ୍କ ନାମକୁ ସାର୍ଥକ କରିଛନ୍ତି ଏବଂ ବାପା ମା’ଙ୍କ ଜୀବନରେ ସାର୍ଥକତା ଆଣିଦେଇଛନ୍ତି ଏବଂ ସାର୍ଥକ ଭଳି ଶିକାର ହୋଇଥିବା ଅନେକ ଭାଇ ଭଉଣୀ ଓ ମାତା ପିତାଙ୍କ ଓ ସମାଜ ପ୍ରତି ଏହା ହେଉଛି ପ୍ରେରଣାର ଦିଗଦର୍ଶନ ବା ଉତ୍ସ ସାର୍ଥକଙ୍କ ଏହି ସଫଳତା ପଛରେ ଆହୁରି ରହିଛି ବହୁ ପେଶାଦାରଙ୍କ ନିଷ୍ଠାପର ଉଦ୍ୟମ ।
ସାର୍ଥକ କିନ୍ତୁ ଜନ୍ମରୁ ଅଟିଜିମ୍ (ଏଡ଼ିଏଚ୍ଡ଼ି)ର ଶିକାର ନ ଥିଲେ, ତିନିବର୍ଷ ପର୍ଯ୍ୟନ୍ତ ତାଙ୍କର ପିଲାବେଳ ବାପା ମା’, ଜେଜେମା’ ଓ ଭଉଣୀଙ୍କ ଗହଣରେ ବେଶ୍ ଆନନ୍ଦ ଉଲ୍ଲାସରେ କଟିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଖେଳୁ ଖେଳୁ ମୁଣ୍ଡରେ ଟେଲିଭିଜନ (ଟିଭି) ପଡ଼ିଯିବା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଫଳସ୍ୱରୂପ ତାଙ୍କ ବ୍ୟବହାରରେ ଅସ୍ୱାଭାବିକ ଦେଖାଦେଇଥିଲା । ସେ ଭଲଭାବରେ କଥାବାର୍ତ୍ତା ମଧ୍ୟ କରିପାରୁ ନ ଥିଲେ ।
ନିଜ ଚାରିପଟର ପରିବେଶକୁ ଚିହ୍ନିବା ଆରମ୍ଭ କରିବା ବେଳକୁ ପୃଥିବୀ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଅପରିଚିତ ହୋଇଗଲା । ଅନେକ ଡାକ୍ତର ଥେରାପିଷ୍ଟଙ୍କ ପରାମର୍ଶ ପରେ ଅନ୍ତତଃ ଜଣାପଡ଼ିଲା ସାର୍ଥକ ଅଟିଜିମ୍ ର ଶିକାର ହୋଇଛନ୍ତି ବୋଲି । ତା’ପରେ ସାର୍ଥକଙ୍କ ମାତା ସୁମତୀ ଓ ପିତା କୈଳାସଙ୍କୁ ସଂଘର୍ଷ କରିବାକୁ ପଡେ଼ । ସୋନୁର ଲାଳନ ପାଳନ ଓ ତା’ର ଶିକ୍ଷା ପ୍ରଦାନ କରିବାରେ ଏବଂ ମାନସିକ ସ୍ତରରେ ନ ହାରି ସାର୍ଥକ (ସୋନୁ) ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଚିକିତ୍ସା କରାଇଲେ ଏବଂ ତାଲିମପ୍ରାପ୍ତ ବିଶେଷଜ୍ଞମାନଙ୍କର ସହାୟତା ନେଲେ ଆଉ ଏସବୁର ଫଳଶ୍ରୁତି ହେଲା ଆଜି ସାର୍ଥକଙ୍କର ସ୍ୱତନ୍ତ୍ର ପରିଚୟ ।
ସାର୍ଥକଙ୍କ ଏହି ସଫଳତା ପଛର କାହାଣୀ କିନ୍ତୁ ବେଶ୍ ସଂଘର୍ଷମୟ । ପ୍ରଥମ ପ୍ରତିବନ୍ଧକ ଥିଲା ସାର୍ଥକଙ୍କ ସମସ୍ୟାର ରୂପରେଖ ଓ ତା’ର ନିରାକରଣର ବାଟ ବାହାର କରିବା । କଟକ, ସମ୍ବଲପୁର, ବାଙ୍ଗାଲୋରର ଡାକ୍ତର ଓ ଥେରାପିଷ୍ଟଙ୍କ ସାହାଯ୍ୟରେ ସାର୍ଥକ (ଡାକନାମ ସୋନୁ)ଙ୍କ ସମସ୍ୟା ଚିହ୍ନଟ କରାଯାଇ ପୁନଃ ଥଇଥାନର ପନ୍ଥା ନିରାକରଣ କରାଗଲା ।
ସୋନୁ ଏବେ ବିଭିନ୍ନ ଶବ୍ଦ କହିପାରିଲେ । ସୋନୁର ପରବର୍ତ୍ତୀ ତାଲିମ ସୁଯୋଗ ଆମ ରାଜ୍ୟରେ କେବଳ ଭୁବନେଶ୍ୱରରେ ଥିଲା ତେଣୁ ସୋନୁକୁ ଭୁବନେଶ୍ୱର ଅଣାଗଲା । ସୋନୁର ମା’ ସମ୍ବଲପୁର ପରେ ଭୁବନେଶ୍ୱରରେ ମଧ୍ୟ ଘରଭଡ଼ା ନେଇ ବୃଦ୍ଧା ଶାଶୁଙ୍କ ସହିତ ରହିଲେ ଏବଂ ବିଭିନ୍ନ ଥେରାପି ସେଣ୍ଟରରେ ତା’ର ତାଲିମରେ ମନପ୍ରାଣ ଢାଳିଦେଲେ । ମାତ୍ର ସୋନୁ ବାପା ଓ ଭଉଣୀଙ୍କ ଅନୁପସ୍ଥିତି ପାଇଁ ଝୁରିହେଲା ଏବଂ ତାଙ୍କ ମା’ ବେଶିଦିନ ସଂଘର୍ଷ କରିପାରିଲେ ନାହିଁ । ଫଳସ୍ୱରୂପ ସେମାନଙ୍କୁ ସୁନ୍ଦରଗଡ଼ ଫେରିବାକୁ ପଡ଼ିଥିଲା ।
ସେଠାରେ ଭିନ୍ନ ଏକ ସଂଘର୍ଷ ସୋନୁର ପାଠପଢ଼ାକୁ ନେଇ ଅନେକ ବିଦ୍ୟାଳୟ ସୋନୁଙ୍କ ନାମ ଲେଖେଇବାକୁ ମନା କରିଦେଲେ । ଯେଉଁ ବିଦ୍ୟାଳୟରେ ସୋନୁଙ୍କ ନାମରେ ଲେଖାଯାଇ ପାରିଲା । ସେଠାରେ ଶିକ୍ଷକ ଓ କର୍ମଚାରୀମାନେ ସୋନୁଙ୍କର ସ୍ୱତନ୍ତ୍ର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ନ ଥିଲେ । ବାପା ମା’ ହୃଦୟଙ୍ଗମ କଲେ ଯେ କେବଳ ଭୁବନେଶ୍ୱରରେ ହିଁ ଦୀର୍ଘକାଳୀନ ଭିତ୍ତିରେ ସୋନୁର ଚିକିତ୍ସା ତାଲିମ ଓ ଶିକ୍ଷା ସମ୍ଭବ ହେବ ।
ସୌଭାଗ୍ୟବଶତଃ ସେହି ସମୟରେ ହିଁ ସୋନୁର ତାଲିମ ଓ ଶିକ୍ଷା ପାଇଁ କୈଳାସ ବାବୁଙ୍କର ଭୁବନେଶ୍ୱର ବଦଳିର ଆବେଦନ ଗୃହୀତ ହୋଇଗଲା । ସାରା ପରିବାର ଆସିଗଲେ ଭୁବନେଶ୍ୱର ।
ଅନେକ ବ୍ୟକ୍ତି ଓ ଅନୁଷ୍ଠାନଙ୍କର ସହଯୋଗରେ ଭୁବନେଶ୍ୱରରେ ସୋନୁଙ୍କର ତାଲିମ ଆଗେଇଲା । ତାଙ୍କର ଏକାଗ୍ରତା ଶାରୀରିକ କାର୍ଯ୍ୟଦକ୍ଷତା ବଢ଼ିଲା । ଖେଳପ୍ରତି ଆଗ୍ରହ ବଢ଼ିଲା । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ସେ ସଫଳ ହେଲେ ।
ଭୁବନେଶ୍ୱରରେ ମଧ୍ୟ ସୋନୁଙ୍କର ଶିକ୍ଷା ସମ୍ପର୍କିତ ସମସ୍ୟା ଲାଗିରହିଲା । ତାଙ୍କ ନାମ ଲେଖାଇଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ତାଙ୍କର ବିଶେଷ ଆବଶ୍ୟକତା ପ୍ରତି ସଚେତନ ନ ଥିଲେ । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସରକାରୀ ବିଦ୍ୟାଳୟଗୁଡ଼ିକରେ ସଂରକ୍ଷଣର ବ୍ୟବସ୍ଥା ରହିଛି । ତେଣୁ ଅନେକ ଭାବିଚିନ୍ତି ସାର୍ଥକର ନାମଲେଖା ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମହାନ୍ତିଙ୍କ ସହାୟତାରେ ଆଚାର୍ଯ୍ୟ ବିହାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦାଖଲା ହୁଏ । ସେଠି ଶ୍ରେଣୀ ଶିକ୍ଷୟିତ୍ରୀ ବୈଦେହୀ ସେଠୀଙ୍କ ସ୍ନେହ, ନିରନ୍ତର ପ୍ରୟାସ ଓ ଧୈର୍ଯ୍ୟ ଯୋଗୁଁ ସାର୍ଥକ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଉନ୍ନତିର ଶିଖରେ ପହଞ୍ଚିବାରେ ସକ୍ଷମ ହୁଅନ୍ତି ଏବଂ ସାର୍ଥକ ଜଣେ ମେଧାବୀ ଛାତ୍ର ହିସାବରେ ପରିଚୟ ସୃଷ୍ଟି କରେ ।
ତତ୍ପଶ୍ଚାତ୍ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସାର୍ଥକକୁ ୟୁନିଟ୍-୯, ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ପଡେ଼ । ସେଠି ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହଯୋଗରେ । ମାତା ସୁମତୀଙ୍କୁ ଶ୍ରେଣୀ ଭିତରେ ରହି ସାର୍ଥକକୁ ଗାଇଡ଼ କରିବା ପାଇଁ ସୁଯୋଗ ମିଳେ । ଏତଦ୍ ବ୍ଯତୀତ ସରକାରଙ୍କ ଗାଇଡ଼ ଅନୁଯାୟୀ ଡିଇଓ, କୋଅର୍ଡିନେଟର, ସିଆରସିସିଙ୍କ ନିରନ୍ତର ସହଯୋଗ ଓ ପ୍ରେରଣା ପାଇ ସାର୍ଥକ ଜଣେ ମେଧାବୀ ଛାତ୍ର ହିସାବରେ ବିଭିନ୍ନ ମହଲରେ ପରିଚିତ କରାନ୍ତି ଏବଂ ସେମାନଙ୍କ ପ୍ରେରଣା ପାଇ ସାର୍ଥକ ସ୍କୁଲ, ଜିଲ୍ଲା ଓ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୁଏ ଓ ସମ୍ମାନିତ ହୋଇ ସ୍କୁଲର ଗର୍ବ ବୋଲି ପରିଗଣିତ ହୁଏ ଓ ଉଚ୍ଚପ୍ରଶଂସିତ ହୁଏ ।
ସାର୍ଥକ ଓଏସସିସି (ଓଡ଼ିଶା ଷ୍ଟେଟ୍ କାଉନ୍ସିଲ ଫର୍ ଚାଇଲ୍ଡ ୱେଲଫେୟାର) ତରଫରୁ ପେଣ୍ଟିଂ ପାଇଁ ପ୍ରଥମ ଶ୍ରେଣୀରେ ସ୍ଥାନ ଅଧିକାର କରି ପୁରସ୍କୃତ ହୁଏ । ଏନଜିଓ ସଂସ୍ଥା ‘କସ୍ତୁରୀ’ ଦ୍ୱାରା ଆୟୋଜିତ ପ୍ରତିଯୋଗିତାର ସେ ବାଦ୍ୟଯନ୍ତ୍ର (କି-ବୋର୍ଡ), ବକ୍ତୃତା, ରାମି ସୋରେ ପାରଦର୍ଶିତା ଦେଖାଇ ‘ଲିଟଲ ମାଷ୍ଟର’ ଆଖ୍ୟା ପାଏ । ‘ସ୍ୱାଭିମାନ’ ଆନୁକୂଲ୍ୟରେ ୧୩ ନଭେମ୍ବର ୨୦୧୭ରେ ଭିନ୍ନକ୍ଷମ ଦିବସରେ ନୂଆପଡ଼ା ଜିଲ୍ଲାର ଇଣ୍ଡିଆ ଗେଟ୍ ସମ୍ମୁଖରେ କି-ବୋର୍ଡରେ ‘ବନ୍ଦେ ଉକ୍ରଳ ଜନନୀ’ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତେ ଓ ୧୬ ଓ ୧୭ ତମ ଅନ୍ତର୍ଜାତୀୟ ଅଞ୍ଜଳି ପ୍ରୋଗ୍ରାମରେ ସମ୍ମାନିତ ହୁଏ । ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଦେଖାଇ ନିଜକୁ ଏକ ବହୁମୁଖୀ ପ୍ରତିଭା ରୂପେ ପ୍ରତିପାଦନ କରିପାରିଥିଲେ ।
ସାର୍ଥକ ୟୁନିଟ୍-୯ ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟର ସୁନାମ ଆଣେ ଏବଂ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ପ୍ରଶଂସିତ ଓ ସମ୍ମାନିତ ହୁଏ । ତତ୍ପଶ୍ଚାତ୍ ସାର୍ଥକ ସମ୍ପ୍ରତି କୋପା ଆଇଟିଆଇ ଅଧୀନରେ କମ୍ପ୍ୟୁଟର ଶିକ୍ଷାର ତାଲିମ ଗ୍ରହଣ କରୁଛି ।
ସାର୍ଥକଙ୍କ ମା’ ସୁମତୀ ଦେବୀଙ୍କ ଭାଷାରେ ଏପରି ପ୍ରତିଭା ସମ୍ପନ୍ନ ପୁଅ ପାଇଁ ମୁଁ ଗର୍ବିତ । ଗୁରୁ, ଭଗବାନଙ୍କ ଆଶୀର୍ବାଦ ଓ ଶୁଭେଚ୍ଛୁମାନଙ୍କ ନିରନ୍ତର ସହଯୋଗ, ସ୍ନେହ ପ୍ରେରଣାର ଉତ୍ସକୁ ପାଥେୟ କରି ଅତିକ୍ରମ କରିବାକୁ ପଡ଼ିବ କଣ୍ଟକିତ ଓ ଦୁର୍ଗମ ପଥ ଓ ନିଜର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଦରକାର ନିରନ୍ତର ପ୍ରୟାସ, ସଂଘର୍ଷ ଓ ଧୈର୍ଯ୍ୟ । ତେବେ ଯାଇହେବ ଦୁର୍ଲ୍ଲଭ ମଣିଷ ଜନ୍ମର ସାର୍ଥକତା ଓ ସମାଜ ପାଇଁ ହେବ ଉଦାହରଣ ।
ସାର୍ଥକର ଉଦ୍ୟମ ଓ ପିତାମାତାଙ୍କ ସଂଘର୍ଷ କେବଳ ତା’ ନିଜ ପାଇଁ ନୁହେଁ ବରଂ ଏହା ହେଉ ସାର୍ଥକ ଭଳି ଅନେକ ଭାଇଭଉଣୀ ଓ ପିତାମାତାଙ୍କ ପାଇଁ ପ୍ରେରଣାର ଦିଗଦର୍ଶନ ବା ଉତ୍ସ ।
Share the post
Topics:ସଫଳ ଦୃଷ୍ଟାନ୍ତ
Comments
Gunjan
Good job